ଆଜିଠାରୁ ରବି ଧାନ ସଂଗ୍ରହ

ଭୁବନେଶ୍ୱର,୬ା୫(ବ୍ୟୁରୋ): ରାଜ୍ୟରେ ରବି ଧାନ ଅମଳ ୪୦ ପ୍ରତିଶତ ଶେଷ ହୋଇଛି। ବୁଧବାରଠାରୁ ରାଜ୍ୟର ୧୭ଟି ଜିଲାରେ ରବି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ମୁଗ, ବିରି, କୋଳଥ,ଚଣା ଆଦି ଡାଲିଜାତୀୟ ଏବଂ ତୈଳବୀଜ ଫସଲ କ୍ରୟ ପ୍ରକ୍ରିୟା ମଧ୍ୟ ଚଳିତ ମାସ ୭ ତାରିଖରୁ ଆରମ୍ଭ କରାଯିବ। ମଙ୍ଗଳବାର ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ କୋଭିଡ୍‌-୧୯ ସଂକ୍ରମଣ ଓ ତଜ୍ଜନିତ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କଲାବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖରିଫ ଋତୁରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେବା ନେଇ ବୈଠକରେ ଆଲୋଚନା ହୋଇଛି। କୃଷିକ୍ଷେତ୍ର ପାଇଁ ଶ୍ରମିକ ସମସ୍ୟା ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଛି। ସେହିପରି ଚଳିତବର୍ଷ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୧ ଲକ୍ଷ ପୋଖରୀ ଖୋଳାଯିବ। କରୋନା ଯୋଗୁ କାମଧନ୍ଦା ହରାଇଥିବା ଗ୍ରାମାଞ୍ଚଳର ଶ୍ରମିକମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ସମସ୍ୟା ସମ୍ପର୍କରେ ସରକାର ଚାମ୍ବର ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି, ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଏବଂ ବ୍ୟାଙ୍କଗୁଡ଼ିକ ସହିତ ଖୁବ୍‌ଶୀଘ୍ର ଆଲୋଚନା କରିବେ। ଏଥିସହିତ ଜାପାନ, କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିପାରିବ ସେଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଘରୋଇ ହିଂସା ରୋକିବାକୁୁ ପୋଲିସ ୫୬୪୯ଜଣଙ୍କ ସହ ଯୋଗାଯୋଗ କରିଛନ୍ତି। ସେଥିରୁ ମାତ୍ର ୧ ପ୍ରତିଶତ ଅଭିଯୋଗ ଆସିଥିଲା। ସେସବୁର ସମାଧାନ କରାଯାଇଛି। ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ୬୫୦୦ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ୪୭ ହଜାର ଗାଡ଼ି ଜବତ କରି ଫେରାଇ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।

Share