Categories: ଖେଳ

ଆଜିଠୁୁ ଟି୨୦ ବିଶ୍ୱକପ୍‌

ଜର୍ଜଟାଉନ୍‌,୨ା୬(ପି.ଟି)ଆମେରିକା ଓ ଓ୍ବେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି୨୦ କ୍ରିକେଟ ବିଶ୍ୱକପ୍‌ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ସହ ଆୟୋଜକ ରହିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍‌ଜି)ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ୮ ବର୍ଷ ତଳେ ଶେଷ ଥର ଚାମ୍ପିୟନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ନିଜ ମାଟିରେ ଆଉ ଥରେ ଟ୍ରଫି ହାସଲ ପାଇଁ ଉଦ୍ୟମ କରିବ। ୨୦୧୪ ଇଡେନ ଗାର୍ଡେନ୍ସରେ ବେନ୍‌ ଷ୍ଟୋକ୍ସଙ୍କୁ ଲଗାତର ୪ ଛକା ମାରି କାର୍ଲୋସ ବ୍ରାଥଓ୍ବେଟ ଦଳକୁ ଟ୍ରଫି ଜିତାଇଥିଲେ। ତେବେ ଏହା ପରଠାରୁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟରେ ଆସିଛି ଅନେକ ପରିବର୍ତ୍ତନ। ୨୦୨୧ରେ ଦଳ ସୁପର୍‌-୧୨ରୁ ବିଦା ହୋଇଥିବା ବେଳେ ୨୦୨୨ରେ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲା। ଚଳିତ ବର୍ଷ ଘରୋଇ ମାଟିରେ ଖେଳୁଥିବା କାରଣରୁ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବ ଓ୍ବେଷ୍ଟଇଣ୍ଡିଜ୍‌। ଦଳକୁ ୨ଥର ବିଶ୍ୱକପ ଜିତାଇଥିବା ଡାରେନ୍‌ ସାମି ବର୍ତ୍ତମାନ କୋଚ୍‌ ଭୂମିକାରେ ଅଛନ୍ତି। ସେହିପରି ରୋଭମାନ ପାଓ୍ବେଲଙ୍କ ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବା ନେଇ ସ୍ପଷ୍ଟ କରି ସାରିଛି। ଦଳ ନିକଟରେ ନିକୋଲାସ ପୁରନଙ୍କ ବ୍ୟତୀତ ରୋଭମାନ ପାଓ୍ବେଲ, ଆନ୍ଦ୍ରେ ରସେଲ୍‌, ସିମରନ୍‌ ହେଟମେୟର, ଶର୍ଫେନ୍‌ ରଦରଫୋର୍ଡ ଓ ରୋମାରିଓ ଶେଫର୍ଡଙ୍କ ଭଳି ଖେଳାଳି ରହିଛନ୍ତି। ଏହି ଦଳର ସମସ୍ତ ଖେଳାଳି ଏକାକୀ ମ୍ୟାଚ୍‌ର ମୋଡ ପରିବର୍ତ୍ତନର ଦକ୍ଷତା ରଖନ୍ତି। ଖାସ୍‌ କରି ଆନ୍ଦ୍ରେ ରସେଲ୍‌ ବର୍ତ୍ତମାନ ଚମତ୍କାର ଲୟରେ ଅଛନ୍ତି। ଉଭୟ ବ୍ୟାଟ ଓ ବଲରେ ଦମଦାର ପ୍ରଦର୍ଶନ କରୁଥିବା ରସେଲ ଘରୋଇ ଦଳ ପାଇଁ ଗେମ୍‌ ଚେଞ୍ଜର ରହିବେ। ଅଭିଜ୍ଞ ଜାସନ୍‌ ହୋଲ୍ଡରଙ୍କ ସ୍ଥାନରେ ଓବେଡ୍‌ ମ୍ୟାକୟଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପପୁଆ ନ୍ୟୁ ଗିନି ଅଧିନାୟକ ଅସଦୁଲ୍ଳା ଭାଲାଙ୍କ ଅଧୀନରେ ଖେଳିବ। ଦଳରେ ୮ ଜଣ ଅଲରାଉଣ୍ଡର ରହିଥିଲେ ମଧ୍ୟ ଅଭିଜ୍ଞତାର ଅଭାବ ରହିଛି।
ଅନ୍ୟପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ ଆମେରିକା ଓ କାନାଡା। ଉଭୟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଭଳି ଟୁର୍ନାମେଣ୍ଟ ଖେଳିବେ। ତେବେ ଆମେରିକାକୁ ଏହି ମ୍ୟାଚ୍‌ରେ ଫେଭରିଟ୍‌ ବିବେଚନା କରାଯାଉଛି। ନିକଟରେ କାନାଡାକୁ ଦଳ ୪-୦ରେ ପରାସ୍ତ କରିଥିବା ବେଳେ ଏହା ନିକଟରେ ଏକାଧିକ ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ ଖେଳାଳି ରହିଛନ୍ତି। ଉଭୟ ଦଳରେ ଏକାଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି।

Share