ଆଜିଠୁ ଅଫିସ ଆସିବେ ସବୁ ସରକାରୀ କର୍ମଚାରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ କର୍ମଚାରୀମାନଙ୍କ ଅଫିସ ଆସିବା ଉପରେ ସରକାର କଟକଣା ଲଗାଇଥିଲେ। ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର ସୋମବାର ପ୍ରତ୍ୟାହାର କରିନେଇଛନ୍ତି। ମଙ୍ଗଳବାରଠାରୁ ସମସ୍ତ କର୍ମଚାରୀ ଅଫିସ ଆସିବେ। ମାତ୍ର କର୍ମଚାରୀମାନଙ୍କୁ ସାମାଜିକ ଦୂରତା ନିୟମ କଡ଼ାକଡ଼ିଭାବେ ପାଳନ କରିବା ପାଇଁ କୁହାଯାଇଛି। ସମସ୍ତ ସରକାରୀ ବିଭାଗ ଏବଂ ଏହାର ଜିଲା, ବ୍ଲକ, ପଞ୍ଚାୟତସ୍ତରର କାର୍ଯ୍ୟାଳୟଗୁଡିକର ସମସ୍ତ କର୍ମଚାରୀ ଏହି ନିୟମକୁ ପାଳନ କରିବେ ବୋଲି ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଯେଉଁ କର୍ମଚାରୀମାନେ ଇନ୍‌ଫ୍ଲୁଏଞ୍ଜା ଯୋଗୁ ଅସୁସ୍ଥ ଥିବେ କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଗୁରୁତର ସମସ୍ୟା ଅନୁଭବ କରୁଥିବେ ସେମାନେ ଅଫିସ ଆସିବେ ନାହିଁ। ସେମାନେ ଛୁଟି ପାଇଁ ଆବେଦନକରି ଘରେ ରହିଯାଇପାରିବେ।

Share