ଆଜିଠୁ ଇନ୍ଦିରା ମଇଦାନରେ ପିପିଲି ହାଟ

ପିପିଲି,୨୭ା୩(ସ୍ବ.ପ୍ର/ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ପିପିଲି ହାଟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଇନ୍ଦିରା ମଇଦାନରେ ଅସ୍ଥାୟୀ ପିପିଲି ସାପ୍ତାହିକ ହାଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସୋମବାର ଓ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପିପିଲି ସାପ୍ତାହିକ ହାଟ ଇନ୍ଦିରା ମଇଦାନରେ ଚାଲିବ। ଏ ନେଇ ଉକ୍ତ ପଡିଆରେ ଗୁରୁବାର ବୈଠକ ହୋଇଥିଲା। ଏଥିରେ ତହସିଲଦାର ସପନ କୁମାର ନନ୍ଦ, ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ବିଧାୟକ ପ୍ରତିନିଧି ତଥା ଆମତ୍ା ଅଧ୍ୟକ୍ଷ ଧରଣୀଧର ସାହୁ, ପିପିଲି ବଜାର ବ୍ୟବସାୟୀ ସଂଘ ସଭାପତି ଅଶୋକ ଅଗ୍ରୱାଲ, ସିଦ୍ଧେଶ୍ୱର ଦେବ ବ୍ୟବସାୟୀ ସଂଘ ସଭାପତି ଧୀରେନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟବସାୟୀଙ୍କ ବସିବା ସ୍ଥାନର ବ୍ୟବଧାନ ୧୦ ଫୁଟ ରଖିବା ଓ ଗ୍ରାହକଙ୍କ ଠିଆ ହେବା ସ୍ଥାନକୁ ଧଳା ଗାର ପକାଇବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଏସି ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା କହିଛନ୍ତି।