ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌

ଫୁଲବାଣୀ ଅଫିସ, ୨୪ା୨-ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌ ୨୦୨୦ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାରଠାରୁ ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ। ସ୍ଥାନୀୟ କରୋନେଶନ ପଡିଆରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ସକାଳ ୭ଟାରେ ଆରମ୍ଭ ହେବ। ପ୍ରତ୍ୟେକ ଦିନ ୪ଟି ମ୍ୟାଚ ଖେଳାଯିବ ବୋଲି ରବିବାର ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) ସଭାଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଇଟିଡିଏ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ସୂଚନା ଦେଇଛନ୍ତି।
ଏହି ଜିଲାସ୍ତରୀୟ ଲିଗ୍‌ ୨୮ ପର୍ଯ୍ୟନ୍ତ ବାରିପଦା ଏବଂ ଫୁଲବାଣୀରେ ଅନୁଷ୍ଠିତ ହେବ। କନ୍ଧମାଳରେ କନ୍ଧମାଳ, କୋରାପୁଟ, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ (ବି) ଟିମ୍‌ ଖେଳିବ। ଖେଳାଳିମାନେ ପହଞ୍ଚି ଅଭ୍ୟାସ କରିଛନ୍ତି। ୧୭ ବର୍ଷରୁ ୩ା୫ ବର୍ଷ ମଧ୍ୟରେ ଖେଳାଳି ଏଥିରେ ଭାଗ ନେଇଛନ୍ତି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ମାର୍ଚ୍ଚ ୨ରେ ସେମିଫାଇନାଲ କେନ୍ଦୁଝର ଏବଂ ସୁନ୍ଦରଗଡ, ୫ ତାରିଖରେ ଫାଇନାଲ ମ୍ୟାଚ କଟକ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଜେତା ଦଳକୁ ୨ ଲକ୍ଷ, ଉପବିଜେତାକୁ ୧ ଲକ୍ଷ, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୫୦ ହଜାର ଏବଂ ୪ର୍ଥ ସ୍ଥାନରେ ଥିବା ଦଳକୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତିଦିନ ପ୍ଲେୟାର ଅଫ ଦ ମ୍ୟାଚଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ। ଏହି ପ୍ରତିଯୋଗିତାରେ ୯ଟି ଜିଲା ଭାଗ ନେଇଛନ୍ତି। ପ୍ରତି ଜିଲାରୁ ୨୦ ଜଣିଆ ଦଳ ଖେଳିବା ପାଇଁ ଚୟନ କରାଯାଇଛି। ୯୦ମିନିଟ ଧରି ମ୍ୟାଚ ହେବ। ୪୫ ମିନିଟ୍‌ ଲେଖାଏ ଦୁଇଟି ସୋପାନରେ ଖେଳ ହେବ। ଜିତିବା ଟିମ୍‌କୁ ୩ ପଏଣ୍ଟ ମିଳିବ। ଯଦି ମ୍ୟାଚ ଟାଇ ହୁଏ, ତେବେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ଦିଆଯିବ ବୋଲି ସୂଚନା ମିଳିଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମ୍ୟାଚ କମିଶନର ଦୁର୍ଗାମାଧବ ନାୟକ, ଏସ୍‌ଡିସି ରାଜ୍ୟ କୋ-ଅର୍ଡିନେଟର ସ୍ବଦେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Share