ଢେଙ୍କାନାଳ ଅଫିସ, ୧୪।୧୦: ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପଲକ୍ଷେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସମେଳା। ଏହି ମେଳା ସୋମବାରଠାରୁ ଆରମ୍ଭ ହୋଇ ୨୩ ତାରିଖ ଯାଏ ଚାଲିବ। ଏଥିରେ ଓଡ଼ିଶାର ୩୦ ଜିଲା ସମେତ ୨୪ ରାଜ୍ୟ ଅଂଶଗ୍ରହଣ କରିବେ। ୫୦୦ ଷ୍ଟଲରେ ଗ୍ରାମାଞ୍ଚଳର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ପ୍ରଦର୍ଶିତ ହେବ। ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ୨୦ଟି ଷ୍ଟଲ ଖୋଲାଯାଇଛି। ବ୍ୟବସାୟ ପାଇଁ ୪୫୦ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ଉପତ୍ାଦକ ଗୋଷ୍ଠୀ ନାମ ପଞ୍ଜୀକରଣ କରିସାରିଛନ୍ତି।
ପଞ୍ଚାୟତିରାଜ ବିଭାଗ, ପାନୀୟ ଜଳ ବିଭାଗ, ଜିଲା ପ୍ରଶାସନ ଏବଂ ଓର୍ମାସ ସହାୟତାରେ ଏହି ମେଳାର ଆୟୋଜନ କରାଯାଉଛି। ସୋମବାର ସନ୍ଧ୍ୟା ୬ଟାରେ ସରସ ମେଳା ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ମେଳା ପରିସରରେ ନିର୍ମିତ ମଞ୍ଚରେ ଲୋକନୃତ୍ୟ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେହିପରି ୧୭ରୁ ୧୯ ତାରିଖ ଯାଏ କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ୪ର୍ଥ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପିଡି ଡିଆର୍ଡିଏ ନରୋତ୍ତମ ବେହେରା ସୂଚନା ଦେଇଛନ୍ତି।