ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି । କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଭୋର ୪ଟା ୧୦ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ସଅଳ ଚାଲିଛି ।
ପଞ୍ଚୁକର ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ଏବଂ ୧୦୦ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି।

Share