ଆଜିଠୁ ପଟିଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୧୮।୬: ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନମଣ୍ଡପରେ କରିଛନ୍ତି ସ୍ନାନ। ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର ଘରେ। ମଙ୍ଗଳବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି। ବିଭିନ୍ନ ଉପଚାରରେ ବିଶ୍ୱନିୟନ୍ତାଙ୍କ ସେବା କରିବେ ଦଇତାପତି ସେବକ। ଏହି ସମୟରେ ରତ୍ନସିଂହାସନରେ ଦାରୁଦିଅଁଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଭକ୍ତଙ୍କୁ ଦର୍ଶନ ଦେବେ ପଟିଦିଅଁ। ସୂଚନାଯୋଗ୍ୟ, ଅଣବସର ବେଳେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟି ପୂଜା ପାଇଥାନ୍ତି। ଅଣସର ଦର୍ଶନକୁ ଦଶାବତାର ଦର୍ଶନ ମଧ୍ୟ କୁହାଯାଏ। ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ, ନୃସିଂହ ଅଣସରତାଟି ସମ୍ମୁଖରେ ରହି ପୂଜା ପାଇଥାନ୍ତି।

Share