ଆଜିଠୁ ବାଲିଯାତ୍ରା

କଟକ ଅଫିସ, ୧୨ା୧୧: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଏହାକୁ ନେଲ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ପଡିଆର ଉଭୟ ପଟେ ପାଖାପାଖି ୯ଟି ଦୋଳି ପଡିଛି। ସୋମବାର ବାଲିଯାତ୍ରା ପଡିଆରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବାବେଳେ ମୁଖ୍ୟ ଗେଟ୍‌ ଆଲୋକମାଳାରେ ସଜାଯାଇଛି। ଏଥିସହ ବାଲିଯାତ୍ରା ପଡ଼ିଆରେ ଥିବା ବୈଷ୍ଣବ ପାଣି ମଞ୍ଚକୁ ପ୍ରଶାସନ ପକ୍ଷରୁ ସଜାଯାଇଛି।
ବ୍ୟବସାୟୀଙ୍କୁ ସଚେତନ କରାଯିବ
ବାଲିଯାତ୍ରା ପଡ଼ିଆରେ ସମସ୍ତ ବ୍ୟବସାୟୀଙ୍କୁ ନେଇ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖାଦ୍ୟ ନିରାପତ୍ତା ଆଇନ-୬୯ ଅନୁଯାୟୀ ବ୍ୟବସାୟୀମାନେ ବାସି ଖାଦ୍ୟ ବିକ୍ରି କଲେ, ଖାଦ୍ୟରେ ରଙ୍ଗ ମିଶାଇଲେ, ବିଶୁଦ୍ଧ ପାଣିରେ ରନ୍ଧାରନ୍ଧି ନ କଲେ କିମ୍ବା ଫୁଡ୍‌ ଲାଇସେନ୍ସ ନ ଥିଲେ ସେମାନଙ୍କୁ ୧୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ନିଆଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି। ଏଥର ବାଲିଯାତ୍ରାରେ କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ବରଗଡ଼, କେନ୍ଦୁଝର, ବାଲେଶ୍ୱରରୁ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ ଖାଦ୍ୟର ମାନ ଯାଞ୍ଚ କରିବେ। ଏ ନେଇ ୨ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୩ ଜଣ ଅଫିସର ନିୟୋଜିତ କରାଯାଇଛି। ଚଳିତଥର ବାଲିଯାତ୍ରାରେ ମୋବାଇଲ ଫୁଡ୍‌ ଟେଷ୍ଟିଂ ଲାବରେଟୋରି ଜରିଆରେ ଖାଦ୍ୟର ମାନ ଯାଞ୍ଚ କରାଯିବ।
ପଡିଆ ସଫେଇକୁ ଗୁରୁତ୍ୱ
ବାଲିଯାତ୍ରାରେ ସିଏମ୍‌ସି ପକ୍ଷରୁ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ସଫେଇ କାର୍ଯ୍ୟ ନିମନ୍ତେ ୨୦୦ ମିଟରକୁ ଗୋଟିଏ ବିଟ୍‌ କରାଯାଇଛି। ଏହିପରି ଭାବେ ୧୮୦ଟି ବିଟ୍‌ ଚିହ୍ନଟ କରାଯାଇଛି। ଏଥିରେ ୧୨୦ ଜଣ ସୁଇପର, ୨୦ ଜମାଦାର, ୨୦ ଜଣ ସାନିଟାରୀ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଦିନକୁ ଦୁଇବେଳା ପଡିଆ ସଫେଇ କରାଯିବ। ଏଥିସହ ୨୨ଟି ଅଟୋ, ୬ ଟ୍ରାକ୍ଟର, ୫ଟି ବକେଟ୍‌ ମାଧ୍ୟମରେ ଆବର୍ଜନା କଢାଯିବ।

Share