ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଜୁନ ୨୫ରୁ ବିଧାନସଭା ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ଯାଏ ଚାଲିବ। ଜୁଲାଇ ୩ ରୁ ୧୧ ତାରିଖ ଯାଏ ଅଧିବେଶନ ବନ୍ଦ ରହିବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ଦେବେ। ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବ। ୨୭ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ୨୮ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ। ଜୁଲାଇ ପହିଲାରୁ ବଜେଟ ଆଲୋଚନା ଆରମ୍ଭ ହେବ। ଜୁଲାଇ ୧୨ ତାରିଖରୁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୨ ତାରିଖରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଗୃହରେ ରିପୋର୍ଟ ଉପସ୍ଥାପନ କରିବେ। ୧୩ ଓ ୧୪ ମାସର ଦ୍ୱିତୀୟ ଶନିବାର ଓ ରବିବାର ଲାଗି ଦୁଇଦିନ ଛୁଟି ରହିବ। ଜୁଲାଇ ୧୫ରୁ ୩୦ ତାରିଖ ଯାଏ ଖର୍ଚ୍ଚ ଦାବି ଆଲୋଚନା ହେବ। ଜୁଲାଇ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ବିଧାନସଭାରେ ଅନୁମୋଦନ ହେବ। ଏହି ସମୟରେ ଓଡ଼ିଶା ମ୍ୟୁନିସିପାଲ ଆକ୍ଟ-୧୯୯୦ର ସଂଶୋଧନ ପାଇଁ ବିଧାନସଭାରେ ବିଲ୍‌ ଆଗତ କରାଯାଇ ପାରେ। ସ୍ଥାନ ସଂରକ୍ଷଣ ବିବାଦ ଯୋଗୁ କାର୍ଯ୍ୟକାଳ ଶେଷ ହୋଇଥିବା ମହାନଗର ନିଗମ ଓ ପୌର ସଂସ୍ଥାଗୁଡ଼ିକରେ ନିର୍ବାଚନ ହୋଇପାରୁ ନାହିଁ। ଚଳିତ ବିଧାନସଭାରେ ଏହାକୁ ସଂଶୋଧନ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଆଣିବେ। ଏଥିସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟ ବିଧାନସଭାରେ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

Share