Categories: ଖେଳ

ଆଜିଠୁ ବିଶ୍ୱକପ୍‌: ଦେଖନ୍ତୁ ୧୯୭୫ରୁ ୨୦୧୯ ମଧ୍ୟରେ କେମିତି ବଦଳିଛି ଟିମ୍‌ ଇଣ୍ଡିଆର ଜର୍ସି

ନୂଆଦିଲ୍ଲୀ, ୩୦।୫: ମେ ୩୦ ଅର୍ଥାତ୍‌ ଗୁରୁବାରଠାରୁ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଜର୍ସି ଉନ୍ମୋଚିତ ହୋଇଥିଲା। ଟିମ୍‌ ଇଣ୍ଡିଆର ଜର୍ସି ପ୍ରତି ବିଶ୍ୱକପରେ ବଦଳାଯାଏ। ଏହି ପରମ୍ପରା ୧୯୮୫ରୁ ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା ୧୯୭୫ରୁ ୨୦୧୯ ମଧ୍ୟରେ କେମିତି ବଦଳିଛି ଟିମ୍‌ ଇଣ୍ଡିଆର ଜର୍ସି।

୧୯୮୫
୧୯୮୫ କ୍ରିକେଟ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଜର୍ସି ଖୁବ୍‌ ସାଧାରଣ ଥିଲା। ସ୍କାଏ ବ୍ଲ ଏବଂ ହଳଦିଆ ରଙ୍ଗ ଥିବା ଏହି ଜର୍ସିରେ ଭାରତୀୟ ଟିମ୍‌ ନାଁ ଲେଖାଯାଇ ନ ଥିଲା।

୧୯୯୨
୧୯୯୨ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳର ଜର୍ସି ସ୍କାଲ ବ୍ଲୁରୁ ଡାର୍କ ବ୍ଲୁରେ ପରିବର୍ତ୍ତନ କରାଯାଇଥିଲା। ଏହାସହ ପଛପଟେ କ୍ରିକେଟରଙ୍କ ନାଁ ଲେଖାଯିବା ସହ ଟିମ୍‌ ଇଣ୍ଡିଆର ନାଁ ମଧ୍ୟ ଜର୍ସିରେ ଥିଲା।

୧୯୯୬
୧୯୯୬ ବିଶ୍ୱକପ୍‌ରେ ପୁଣି ଥରେ ଜର୍ସିରେ ପରିବର୍ତ୍ତନ କରାଯାଇଥିଲା। ଲାଇଟ୍‌ ବ୍ଲୁ, ହଳଦୀ ରଙ୍ଗ ମିଶା ଜର୍ସିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଲୋଗୋ ରହିଥିଲା।

୨୦୦୩
୨୦୦୩ ବିଶ୍ୱକପ୍‌ର ଉପବିଜେତା ଥିବା ଭାରତୀୟ ଦଳର ଜର୍ସିରେ ତ୍ରିରଙ୍ଗା ଚିହ୍ନ ଥିଲା। ତ୍ରିରଙ୍ଗା ଉପରେ ଇଣ୍ଡିଆ ଲେଖାଥିଲା।

୨୦୦୭
୨୦୦୭ ବିଶ୍ୱକପରେ ଲାଇଟ୍‌ ବ୍ଲୁ ରଙ୍ଗର ଜର୍ସିରେ ସ୍ପନସର ସାହାରା ଲେଖାଯାଇଥିଲା। ଏହାସର ତ୍ରିରଙ୍ଗା ଚିହ୍ନ ମଧ୍ୟ ଥିଲା।

୨୦୧୧
୨୦୧୧ ବିଶ୍ୱକପରେ ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟଥର ବିଶ୍ୱକପ୍‌ ଜିତିଥିଲା। ଗାଢ୍‌ ବ୍ଲୁ ରଙ୍ଗର ଜର୍ସିର ଦୁଇପଟେ ତ୍ରିରଙ୍ଗାର ପଟି ରହିଥିଲା। ବାହୁ ପଟରେ ସ୍ପନସର୍‌ ନାମ ଏବଂ ପଛ ପଟେ କ୍ରିକେଟର ନାମ ଲେଖାଥିଲା।

୨୦୧୫
୨୦୧୫ ବିଶ୍ୱକପ୍‌ ଜର୍ସିର ଡିଜାଇନ୍‌ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ଜର୍ସିରେ ଇଣ୍ଡିଆ ଲେଖା ପୂର୍ବରୁ ସ୍ପନସର୍‌ ଷ୍ଟାର୍‌ ଲେଖାଯାଇଥିଲା। ଜର୍ସିରୁ ତ୍ରିରଙ୍ଗା ହଟାଇଦିଆଯାଇଥିବାବେଳେ ବିସିସିଆଇ ଲୋଗୋ କିନ୍ତୁ ରହିଥିଲା।

୨୦୧୭
୨୦୧୭ ବିଶ୍ୱକପ୍‌ରେ ଖେଳାଳିଙ୍କ ଜର୍ସିରେ ହାତ ପାଖ ଗାଢ ବ୍ଲୁ ଥିବାବେଳେ ମଝି ଅଂଶ ଲାଇଟ୍‌ ବ୍ଲୁ ଥିଲା। କଲର୍‌ରେ ତ୍ରିରଙ୍ଗା ଚିହ୍ନ ରହିଥିଲା।


୨୦୧୯
୨୦୧୯ ବିଶ୍ୱକପ୍‌ରେ ଜର୍ସିର ମଝି ଅଂଶ ଗାଢ୍‌ ବ୍ଲୁ ହୋଇଥିଲାବେଳେ ହାତ ପାଖ ଲାଇଟ୍‌ ବ୍ଲୁ ରହିଛି। ସେହିପରି ସ୍ପନସର୍‌ ନାମ ଜର୍ସିର ବାମ ଏବଂ ଡାହାଣ ପାର୍ଶ୍ୱରେ ଲେଖାଯାଇଥିଲାବେଳେ ମଝିରେ ନାରଙ୍ଗୀ ରଙ୍ଗରେ ଇଣ୍ଡିଆ ଲେଖାଯାଇଛି।

Share