Categories: ଭଦ୍ରକ

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ ମେଳଣ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଫଗୁ ରଙ୍ଗରେ ଭିଜିବେ ରାଧାଗୋବିନ୍ଦଜୀଉ ଠାକୁର। ଭିଜିବ ଭକ୍ତ, ଦେଖଣାହାରୀଙ୍କ ଦେହ ଓ ମନ। ମେଳଣକୁ ୩୦ରୁ ଊର୍ଦ୍ଧ୍ୱ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ଆଟୋପ ଶୋଭାଯାତ୍ରାରେ ମଣ୍ଡପକୁ ଆସିଥାନ୍ତି। ଭଣ୍ଡାରିପୋଖରୀ ଥାନା ପରିସରରେ ହେଉଥିବା ଏହି ମେଳଣ ଅଞ୍ଚଳର ମୁଖ୍ୟ ମେଳଣ ଭାବେ ପରିଚିତ। ଏହି ମେଳଣରେ ଫଗୁ ଖେଳ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିଥାଏ।
ଉଲ୍ଲେଖନୀୟ ଯେ, ବ୍ରିଟିଶ ଶାସନ ସମୟରୁ ମୁନସୀମାନଙ୍କ ଦ୍ୱାରା ଏହି ପର୍ବ ଆରମ୍ଭ ହୋଇଥିବାରୁ ଏହାର ନାମ ମୁନ୍‌ସୀ ମେଳଣ ରହିଛି। ମେଳଣକୁ ଦେଖିବା ପାଇଁ କେବଳ ଭଣ୍ଡାରିପୋଖରୀ ନୁହେଁ ଆଖପାଖ ବନ୍ତ, ଧାମନଗର ବ୍ଲକ ସହ ପଡ଼ୋଶୀ ଯାଜପୁର ଜିଲାରୁ ବହୁ ଲୋକ ଛୁଟି ଆସନ୍ତି। ୧୯୪୨ ଅଗଷ୍ଟ ୧୭ରେ ଭାରତଛାଡ଼ ଆନ୍ଦୋଳନରେ ଭଣ୍ଡାରିପୋଖରୀ ଥାନାକୁ ପୋଡ଼ି ଦିଆଯାଇଥିଲା। ଥାନା ପୋଡ଼ି ଘଟଣା ପରେ ମୁନସୀ ଓ ସାଧାରଣ ଜନତାଙ୍କ ସହ ସମ୍ପର୍କ ରକ୍ଷା ପାଇଁ ୧୯୪୩ରେ ଥାନା ପରିସରରେ ଆରମ୍ଭ ହୋଇଥିଲା ଏହି ମେଳଣ। ଚଳିତବର୍ଷ ଚୈତ୍ରମାସ ଏକାଦଶୀ ଓ ଦ୍ୱାଦଶୀ ତିଥିରେ ଏହି ପର୍ବ ପାଳନ ହେବାକୁ ଯାଉଛି। ରାଧାଗୋବିନ୍ଦଜୀଉ ମେଳଣର ମୁଖ୍ୟ ଠାକୁର। ମେଳଣକୁ ଅଧିକ ଆକର୍ଷଣୀୟ ପାଇଁ ଥାନା ଓ କମିଟି ପକ୍ଷରୁ ଦୁଇଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ମେଳଣର ଗୋଟିଏ ଦିନ ପୋଲିସ, ସାଧାରଣ ଜନତା ନିମନ୍ତ୍ରିତ ଠାକୁର ଓ ଭକ୍ତମାନଙ୍କ ସହ ମିଶି ଫଗୁ ଖେଳିଥାନ୍ତି। ମେଳଣ କମିଟିରେ ସଭାପତି ଲକ୍ଷ୍ମୀଧର ନାୟକ ଓ ସମ୍ପାଦକ ଭାବେ ଥାନାଧିକାରୀ ସନାତନ ସାହୁ ଦାୟିତ୍ୱ ତୁଲାଉଛନ୍ତି। ମଣ୍ଡପରେ ବିଜେ କରିଥିବା ବିମାନ ଆଗରେ ଥାନା ପକ୍ଷରୁ ଭୋଗ ଲଗାଯାଇ ବିଦାୟ ଦେବା ପରମ୍ପରା ରହିଛି।