Categories: ମେଟ୍ରୋ

ଆଜିଠୁ ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମ୍‌ରେ ନୂଆ ଶୋ’

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମ୍‌ରେ ବୁଧବାରଠାରୁ ଏକ ନୂତନ ଶୋ’ର ବ୍ୟବସ୍ଥା ହୋଇଛି। ‘ମହାଜାଗତିକ ଜୀବ’ ନାମକ ଏହି ଶୋ ଓଡ଼ିଆ ଭାଷାରେ ପ୍ରଦର୍ଶିତ ହେବ। ୩୦ ମିନିଟ୍‌ ଅବଧିର ଏହି ନୂତନ ଶୋରେ ବିଶ୍ୱର ସୃଷ୍ଟି, ତାରାମାନଙ୍କ ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟା, ନିହାରିକାର ସୃଷ୍ଟି, ବିଶ୍ୱର ଆକାର ତଥା ଆମ ବିଶ୍ୱରେ ଅନ୍ୟତ୍ର ଜୀବ ଜଗତ ରହିଛି କି ନାହିଁ ଆଦି ଅନେକ ବିଷୟରେ ଅତି ସରଳ ଭାବେ ଉପସ୍ଥାପନା କରାଯାଇଛି ବୋଲି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଏହି ଶୋ’କୁ ମଙ୍ଗଳବାର ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ପ୍ଲାନେଟାରିୟମ ପ୍ରତିଷ୍ଠା ହେବାର ୩୦ବର୍ଷ ପରେ ବୁର୍ଲାରେ ଦ୍ୱିତୀୟ ପ୍ଲାନେଟାରିୟମ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଆସନ୍ତା କିଛି ବର୍ଷରେ ଆମ ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଆଉ ୫ ପ୍ଲାନେଟାରିୟମ ଓ ୧୦ଟି ବିଜ୍ଞାନ ଉଦ୍ୟାନ ପ୍ରତିଷ୍ଠା କରାଯିବାକୁ ସମସ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇସାରିଛି। ସେହିପରି କିଛି ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନାସା ପଠାଇବା ପାଇଁ ଯୋଜନା କରାଯାଉଛି। ସେହିପରି ଖୁବ୍‌ଶୀଘ୍ର ବୁର୍ଲା ପ୍ଲାନେଟାରିୟମ୍‌ରେ ଆଞ୍ଚଳିକ ସମ୍ବଲପୁରୀ ଭାଷାରେ ଏକ ଶୋ’ ପ୍ରଦର୍ଶିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Share