ଆଜିଠୁ ମୌସୁମୀ ବର୍ଷା : ୩ ଦିନ ବର୍ଷିବ, ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ। ସ୍ବାଭାବିକ (ଜୁନ ୧୦)ଠାରୁ ୧୦ ଦିନ ପରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ୨୧ ତାରିଖ ସନ୍ଧ୍ୟାରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମୌସୁମୀ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ଦିନ ଯାଏ ବର୍ଷା ଲାଗି ରହିବ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ କେନ୍ଦ୍ରାପଡା, କଟକ, ନୟାଗଡ, ଯାଜପୁର, ଭଦ୍ରକ, ଗଜପତି ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ବର୍ଷା ବୃଦ୍ଧି ପାଇବ। ତେବେ ଯେତେ ବର୍ଷା ହେବା କଥା ତାହା ହେବ ନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଅଧିକ ରହିବ ବୋଲି ଅନୁମାନ
କରାଯାଇଛି । ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ପରିମାଣ କମ ରହିବ। ଆସନ୍ତା ୨୪ ତାରିଖଠାରୁ ବର୍ଷା ପରିମାଣ ହ୍ରାସ ପାଇବ। ୨୮ ତାରିଖରୁ ପୁଣି ବର୍ଷା ବଢିବ । ଗତ ଦୁଇ ଦିନ ହେବ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଲାଗି ରହିଛି। ଏଥିଯୋଗୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗି ରହିଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୧୪, ପୁରୀ ୩୦, ବାଲେଶ୍ୱର ୬.୨, ଚାନ୍ଦବାଲି ୩, ପାରାଦୀପ ୧୦.୬, ଗୋପାଳପୁର ୧୦, ବାରିପଦା ୧, ମାଲକାନଗିରି ୧୧ ଏବଂ ବଲାଙ୍ଗୀରରେ ୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଉପକୂଳରେ ମେଘୁଆ ପାଗ ରହିଥିଲେ ମଧ୍ୟ ପଶ୍ଚିମ ଓଡିଶାରେ ତାତି ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୪୧.୨, ଟିଟିଲାଗଡ ୪୦, ମାଲକାନଗିରି ୪୦ ଏବଂ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୋଳ, ସୋନପୁର, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲାରେ ଘଡଘଡି ସହ ଝଡବର୍ଷା ହେବ ବୋଲି ସତର୍କ କରାଯାଇଛି।

Share