ଆଜିଠୁ ସ୍କୁଲ ବନ୍ଦ: ଖୋଲା ରହିବ କାର୍ଯ୍ୟାଳୟ, ଉପସ୍ଥିତ ରହିବେ ଶିକ୍ଷକ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗୁରୁବାରଠାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିଛନ୍ତି। ଏପ୍ରିଲ ୧୮ରୁ ମେ ୪ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିଦିଆଯାଇଛି। ଏହି ସମୟରେ କେବଳ କ୍ଲାସ୍‌ ବନ୍ଦ ରହିବ। କିନ୍ତୁ ସ୍କୁଲ କାର୍ଯ୍ୟାଳୟ ଖୋଲା ରହିବା ସହ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ରହିବେ। ପିଲାଙ୍କ ନାମଲେଖା, ଟେକ୍ସଟ ବୁକ୍‌ ରସିଦ୍‌, ବହି ବଣ୍ଟନ, ସାର୍ଟିଫିକେଟ୍‌ ପ୍ରଦାନ ଭଳି ବିଭିନ୍ନ ଅଫିସିଆଲ କାର୍ଯ୍ୟ ଜାରି ରହିବ। ଛୁଟି ସମୟରେ ଏହି ସବୁ କ୍ଷେତ୍ରରେ ଯେଭଳି ସମସ୍ୟା ଦେଖା ନ ଯିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବିଭିନ୍ନ ଶିକ୍ଷୟିତ୍ରୀ, ଶିକ୍ଷକ ଇଲେକ୍ସନ ଡ୍ୟୁଟିରେ ଥିବାବେଳେ ସମସ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉପଯୁକ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ରହିବା ବ୍ୟବସ୍ଥା କରିବାକୁ କୁହାଯାଇଛି। ଏ ନେଇ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉ କି, ପୂର୍ବରୁ ମେ ୬ରୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ରାଜ୍ୟର ଅନେକ ଜିଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାରୁ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ୧୮ତାରିଖରୁ ସ୍କୁଲ ଛୁଟି ରଖିବାକୁ ଘୋଷଣା କରିଥିଲେ। ଏ ନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଏକ ଚିଠି ଦିଆଯାଇଥିଲା।

Share