Categories: ଜାତୀୟ

ଆଜିଠୁ ସ୍ଥଗିତ ରହିପାରେ ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୩ା୩(ଆଇଏଏନ୍‌ଏସ୍‌): କରୋନା ଭାଇରସ୍‌ ଯୋଗୁ ବିଶ୍ୱବ୍ୟାପୀ ଅଚଳାବସ୍ଥା ଲାଗିରହିଥିବାବେଳେ ଭାରତର ପାର୍ଲାମେଣ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲୁରହିଛି। ଏହାକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ କେନ୍ଦ୍ର ସରକାର ପାର୍ଲାମେଣ୍ଟର ଉଭୟ ଗୃହକୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ମୋଦି ସରକାର ଗମ୍ଭୀରତା ସହ ବିଚାର କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ ସୋମବାର ଅପରାହ୍ନ ୨ଟାରେ ଲୋକ ସଭା ଓ ରାଜ୍ୟ ସଭାର ଗୃହକାର୍ଯ୍ୟ ଆରମ୍ଭ ହେବ। ସରକାର ଏହି ସମୟରେ ଫାଇନାନ୍ସ ବିଲ୍‌କୁ ଗୃହୀତ କରାଇବେ। ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସରକାରୀ ପକ୍ଷ ଅନୁରୋଧ କରିବେ। ଏହା ପରେ ସଂସଦର ଉଭୟ ସଦନକୁ ସରକାର ସ୍ଥଗିତ ରଖିବା ଲାଗି ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

Share