ଆଜିଠୁ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟରେ ସୋମବାରଠାରୁ ଆରମ୍ଭ ପ୍ରବଳ ବର୍ଷା। ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ତେଣୁ ଏହି ୫ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସନ୍ଧ୍ୟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାକୁ ୪୫ରୁ ୫୫କିମି ବା ଅତିବେଶିରେ ୬୫କିମି ରହିବ। ମଙ୍ଗଳବାର ଉପକୂଳ ଜିଲାଗୁଡ଼ିକର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ବୁଧବାର ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ୬ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେଥିପାଇଁ ଏହି ୬ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ସକାଳେ ଉତ୍ତର ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ। ଘଣ୍ଟାକୁ ୭୫ରୁ ୮୫କିମି ବା ୯୫କିମି ବେଗରେ ବହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟରେ ତାପମାତ୍ରା ଜନଜବୀନକୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ଟିଟିଲାଗଡ଼ରେ ସର୍ବାଧିକ ୪୦.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Share