ଆଜିଠୁ ୩୦ତମ କୋଣାର୍କ ଉତ୍ସବ: ନୂପୁରର ରୁଣୁଝୁଣୁ ଶବ୍ଦ ଅପେକ୍ଷାରେ ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ, ୧ା୧୨(ଡି.ଏନ୍‌.ଏ.): କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ରବିବାରଠାରୁ ଆରମ୍ଭ ହେବ ୩୦ତମ କୋଣାର୍କ ଉତ୍ସବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରଙ୍ଗବେରଙ୍ଗର ପଟ୍ଟଚିତ୍ର, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ସୁନ୍ଦର ସାଜସଜ୍ଜା ସହିତ ପର୍ଯ୍ୟଟକଙ୍କ ବସିବା ପାଇଁ ସୁଶୋଭିତ ଗ୍ୟାଲେରିମାନ ପ୍ରସ୍ତୁତ କରାଯାଇଛି। ପାହାଚଗୁଡ଼ିକ ବିଭିନ୍ନ ପ୍ରକାର ଚାରୁକଳା ଓ ଝୋଟି ଚିତାରେ ଚିତ୍ରିତ ହୋଇଛି।

ଏହି ଉତ୍ସବର ଶୋଭାକୁ କୋଣାର୍କ ହେଲିପ୍ୟାଡ୍‌ଠାରେ ହେବାକୁଥିବା ମୀନାବଜାର, ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ରାସଦୋଳି ସହ ୪ଗୋଟି ଅପେରା ପାର୍ଟିର ଯାତ୍ରା ପରିବେଷଣ ଦ୍ୱିଗୁଣିତ କରିବ। ଏହି ପରିପ୍ରେକ୍ଷୀରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର, କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସବୁଜ ବଳୟ ସୃଷ୍ଟି ପାଇଁ ମାନବ ଶୃଙ୍ଖଳ, କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତିି ବିକାଶ ପରିଷଦ ପକ୍ଷରୁ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା, ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଗଣଦୌଡ଼ ସହ କୋଣାର୍କ ଅର୍ବାନ ହାଟରେ ଅର୍କଶ୍ରୀ ପକ୍ଷରୁ ୫ଦିନିଆ ପୁସ୍ତକମେଳା ଆୟୋଜିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେବେ। ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟ୍ରୋଲିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଦୃଷ୍ଟିରୁ କୋଣାର୍କ ମ୍ୟୁଜିୟମ, ହେଲିପ୍ୟାଡ୍‌ଠାରେ ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା ଥିବାବେଳେ ଚନ୍ଦ୍ରଭାଗା ଛୋଟାରାମ ଦାଶ ଆଶ୍ରମଠାରେ ଦୁଇଚକିଆ ଯାନ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଇଣ୍ଡିଆନ ଅଏଲ ଫାଉଣ୍ଡେଶନ ଦ୍ୱାରା ନିର୍ମିତ ପାର୍କିଂରେ ୫ଦିନ ପାଇଁ ଯାନବାହନ ରଖାଯିବାର ବନ୍ଦୋବସ୍ତ କରାଯାଇଛି।

Share