ଆଜିଠୁ ୪ ଦିନ ବର୍ଷା

ଭୁବନେଶ୍ୱର, ୧-୧(ବ୍ୟୁରୋ):ନୂଆବର୍ଷ ଆରମ୍ଭରେ ଭିଜିବ ଓଡ଼ିଶା। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ନୂଆବର୍ଷର ପ୍ରଥମ ଦିନରେ ବରଗଡ଼, ନୂଆପଡ଼ା, ଝାରସୁୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ବୌଦ୍ଧ, ସୁବର୍ଣ୍ଣପୁର, ମୟୂରଭଞ୍ଜ ଆଦି ୧୦ ଜିଲାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ସେପଟେ ୨ ଓ ୩ ତାରିଖ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେଣୁ ଏହି ଦୁଇଦିନ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ସେହିଭଳି ୩ରେ ଉପକୂଳ ଓଡ଼ିଶା, ମୟୂରଭଞ୍ଜ ଓ ରାଜ୍ୟର ଆଉ କେତେକ ଅଞ୍ଚଳରେ ବର୍ଷା ହେବ। ଉପକୂଳ ଓଡ଼ିଶା, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କେନ୍ଦୁଝର, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲାରେ ବଜ୍ରପାତ ହେବ। ଏହିସବୁ ଜିଲାକୁ ୩ ତାରିଖ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୪ରେ ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୧୧ ଜିଲାରେ ସ୍ବଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେବା ଦୃଷ୍ଟିରୁ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ବର୍ଷା ଛାଡ଼ିଲା ପରେ ପୁଣି ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚାଷୀମାନଙ୍କ ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବା ଲାଗି ଜିଲାପାଳମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅମଳ ହୋଇଥିବା ଧାନକୁ ଚାଷୀମାନେ ସୁରକ୍ଷିତ ସ୍ଥାନକୁ ନେବା ସହିତ ବର୍ଷା ଦାଉରୁ ରକ୍ଷା କରିବା ଲାଗି ଏହାକୁ ଘୋଡ଼ାଇ ରଖିବା ପାଇଁ କୁହାଯାଇଛି। ମଣ୍ଡିଗୁଡ଼ିକରେ ଧାନ ଯେପରି ବର୍ଷାରେ ଓଦା ନ ହୁଏ ସେଥିପାଇଁ ବିହିତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଲୋକେ ବାହାରକୁ ଆସିବା ପାଇଁ ଡରୁଛନ୍ତି। ମଙ୍ଗଳବାର ୧୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସର୍ବନିମ୍ନ ୫ ଡିଗ୍ରୀ ସହ ଅନୁଗୋଳ ସବୁଠାରୁ ଥଣ୍ଡା ସହର ପାଲଟିଛି। ଏହାପରେ ସୋନପୁର ୫.୬ ଡିଗ୍ରୀ, କେନ୍ଦୁଝର ୬.୨, ଦାରିଙ୍ଗବାଡ଼ି ୬, ଫୁଲବାଣୀ ୬.୫, ଟିଟଲାଗଡ଼ ଓ ଝାରସୁଗୁଡ଼ାରେ ୮, ତାଳଚେର ଓ ସମ୍ବଲପୁରରେ ୮.୬, ସୁନ୍ଦରଗଡ଼ ଓ କଟକରେ ୯, ବାଲେଶ୍ୱର ୯.୪, ହୀରାକୁଦ, ବାରିପଦାରେ ୯.୬, ଭୁବନେଶ୍ୱରରେ ୯.୮ ଏବଂ ଭବାନୀପାଟଣାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Share