ଏଥର ଗୋଟିଏ ଦିନରେ ବାହୁଡ଼ା, ହରିଶୟନ ଏକାଦଶୀ : ଶୁକ୍ରବାରଠାରୁ ୪ ମାସ ଶୋଇବେ ଠାକୁର

ପୁରୀ ଅଫିସ,୧୨।୭ : ପ୍ରାୟ ପ୍ରତିବର୍ଷ ବାହୁଡ଼ା ଦଶମୀ ପରଦିନ ହରିଶୟନ ଏକାଦଶୀ ପଡ଼ିଥାଏ। ହରିଶୟନ ଏକାଦଶୀଠାରୁ ଠାକୁର ଶୟନ କରିଥାନ୍ତି। ତେବେ ଏଥର ତିଥି କ୍ଷୟ ଯୋଗୁ ବାହୁଡ଼ା ଏବଂ ଏକାଦଶୀ ଗୋଟିଏ ଦିନରେ ଅର୍ଥାତ୍‌ ଶୁକ୍ରବାର ପଡ଼ିିଛି। ତେଣୁ ଶୁକ୍ରବାର ବାହୁଡ଼ାଯାତ୍ରା ହେବ ଏବଂ ଏହିଦିନଠାରୁ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ ଯିବେ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ।

ହରିଶୟନ ଯାତ୍ରା ସମ୍ପର୍କରେ ଗବେଷକ ଦାଶ କହିଛନ୍ତି, ଶୁକ୍ରବାର ଆଷାଢ ଶୁକ୍ଳପକ୍ଷ ଏକାଦଶୀ। ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ନୀତି ଅନ୍ୟ ଏକାଦଶୀ ନୀତି ଭଳି ଅନୁଷ୍ଠିତ ହୋଇଥାଏ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାରମେକାପ ଭଣ୍ଡାର ଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନି ରଥକୁ ବିଜେ କରନ୍ତି। ଶ୍ରୀବଳଭଦ୍ର ଦେବଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ (ଶୟନ ଠାକୁର) ବିଜେ କରିଥାନ୍ତି । ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ହୁଏ। ଅନ୍ୟାନ୍ୟ ନୀତି ବଢିଲା ପରେ ତିନିଜଣ ପୂଜାପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି। ସେଠାରେ ପାରମ୍ପରିକ ରୀତି ଅନୁଯାୟୀ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ହୋଇଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତ କାହାଳୀ, ସଞ୍ଜବତୀ ଓ ଦୂର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ। ପେଡ଼ି ଉପରେ ଖୋଳ ପକାଯାଏ। ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ ବୋଲି ଗବେଷକ ଡ. ଦାଶ ସୂଚନା ଦେଇଛନ୍ତି।

Share