ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୨୬ରେ ଏହି ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଗର୍ଭ ନିରୋଧ ସମ୍ପର୍କରେ ଉଚିତ ସୂଚନା ଦେବାରେ ଏହା ପ୍ରମ୍ମୁଖ ଭୂମିକା ଗ୍ରହଣ କରୁଛି। ଜନସଂଖ୍ୟା ନିୟନ୍ତ୍ରଣ କରିବା ବି ଏହାର ଆଉ ଏକ ଲକ୍ଷ୍ୟ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହି ଦିବସ ଉପଲକ୍ଷେ ଏକ ସ୍ଲୋଗାନ ଦେଇଛି ‘ଆପଣଙ୍କ ଭିବଷ୍ୟତ- ଆପଣଙ୍କ ପସନ୍ଦ, ଆପଣଙ୍କ ଗର୍ଭନିରୋଧକ ଉପାୟ’ । ଭାରତରେ ଲୋକମାନଙ୍କୁ ବିଶେଷକରି ଯୁବପିଢ଼ିିଙ୍କ ମଧ୍ୟରେ ଯୌନ ସଚେତନତା ବୃଦ୍ଧି କରିବା ତଥା ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ ଥିବା ଉପାୟ ସମ୍ବନ୍ଧରେ ଏହି ଦିବସରେ ଅବଗତ କରାଯାଇଥାଏ। ଭାରତରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ(ଡବ୍ଲ୍ୟୁସିଡି) ଏହା ଲାଗି କାର୍ଯ୍ୟ କରୁଛି। ଯୌନସ୍ବାସ୍ଥ୍ୟ କ୍ଷେତ୍ରରେ କେତେକ ଏନଜିଓ ଓ ହସ୍ପିଟାଲ ସହାୟତାରେ ଏହା କାର୍ଯ୍ୟ କରୁଛି। କେବଳ ସହର ନୁହେଁ ଗାଁଯାଏ ଲୋକଙ୍କୁ ବି ଏହା ସମ୍ପର୍କରେ ଜଣାଇ ଦିଆଯାଉଛି।
ଡବ୍ଲ୍ୟୁସିଡି ରିର୍ପୋଟ ମୁତାବକ ଭାରତରେ ୨୧ଟି ରାଜ୍ୟର ୯୪.୫ ପ୍ରତିଶତ ବିବାହିତ ମହିଳା ଗର୍ଭ ନିରୋଧକ ଉପାୟ ଓ ଏହାର ଉପଯୋଗ ସମ୍ପର୍କରେ ଜାଣିଥିଲେ ବି ୫୦ ପ୍ରତିଶତ ମହିଳା ଏହା ପାଳନ କରନ୍ତି। ଏହା ବ୍ୟତୀତ ୪୪ ପ୍ରତିଶତ ବିବାହିତ ମହିଳା ଏହା ବିଷୟରେ ଜାଣିଥିଲେ ମଧ୍ୟ ଏହି ଉପାୟ ଆପଣାଇନଥାନ୍ତି। ଏକ ସର୍ଭେରୁ ଜଣାପଡିଛି ଯେ,ପଶ୍ଚିମବଙ୍ଗ ଓ ଜମ୍ମୁ-କଶ୍ମୀରରେ ଯଥାକ୍ରମେ ୯୫ ଓ ୮୩ ପ୍ରତିଶତ ମହିଳାଙ୍କର ଗର୍ଭ ନିରୋଧକ ଉପାୟ ଉପରେ ଧାରଣା ରହିଛି। କିନ୍ତୁ ପଶ୍ଚିମବଙ୍ଗରେ ୬୭ ପ୍ରତିଶତ ଓ ଜମ୍ମୁ-କଶ୍ମୀରରେ ୨୭ ପ୍ରତିଶତ ଏହାକୁ ଉପଯୋଗ କରନ୍ତି ନାହିଁ। ଭାରତରେ ଜମ୍ମୁ-କଶ୍ମୀରରେ ସବୁଠାରୁ କମ୍‌ ଗର୍ଭ ନିରୋଧକ ଉପାୟ ଆପଣାଇଥାନ୍ତି।
ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଲୋକମାନଙ୍କୁ ଗର୍ଭ ନିରୋଧକ ଉପାୟ ସମ୍ପର୍କରେ ସୂଚନା ଦେବା ଓ ପ୍ରଚାର ପ୍ରସାର ମାଧ୍ୟମରେ ସଚେତନ କରିବା,ପରିବାର ନିୟୋଜନ ଉପାୟରେ କିପରି ଜନସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ବନ୍ଧରେ ଜଣାଇବା ଦ୍ୱାରା ଯଥେଷ୍ଟ ଲାଭ ମିଳି ପାରିବ। କେତେକ ରାଜ୍ୟରେ ନବବିବାହିତଙ୍କୁ କଣ୍ଡୋମ କିଟ୍‌ , ଗର୍ଭନିରୋଧକ ବଟିକା ଇତ୍ୟାଦି ଯୋଗାଇ ଦେବାର ଯୋଜନା କରାଯିବା ସହ ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରାଯାଉଛି। ଜନସଂଖ୍ୟା ନିୟନ୍ତ୍ରଣ ଓ ବିଭିନ୍ନ ଯୌନ ରୋଗ ସଂକ୍ରମଣରୁ ରକ୍ଷା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । କେବଳ ଗର୍ଭ ନିରୋଧକ ଦିବସ ନୁହେଁ,କୌଣସି ଦିନ ବି ପରିବାର ନିୟୋଜନ ବିଷୟରେ ଏକ ସମୟ ସୀମା ମଧ୍ୟରେ ଏବଂ ସହଜ ତରିକା ସମ୍ପର୍କରେ ନିକଟସ୍ଥ ଡିସ୍ପେନ୍‌ସାରି ଓ ହସ୍ପିଟାଲ୍‌ରୁ ଜାଣିପାରିବେ ।

Share