Categories: ଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୧୬।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଠିକ୍‌ ୮ ବର୍ଷ ପୂର୍ବେ ଇତିହାସ ରଚିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ। ୧୬ ମାର୍ଚ୍ଚ ୨୦୧୨ରେ ଏସିଆ କପ୍‌ବେଳେ ସଚିନ ବାଂଲାଦେଶ ବିପକ୍ଷରେ ୧୧୪ ରନ୍‌ର ଇନିଂସ ଖେଳିଥିଲେ, ଯାହାକି ଥିଲା ତାଙ୍କ କ୍ୟାରିୟରର ୧୦୦ତମ ଶତକ। ଦିନିକିଆ ଫର୍ମାଟରେ ଏହା ଥିଲା ସଚିନଙ୍କ ୪୯ତମ ଶତକ। ଅବଶ୍ୟ ମ୍ୟାଚ୍‌ରେ ଭାରତୀୟ ଦଳ ପରାଜିତ ହୋଇଥିଲା। ଫଳରେ ଏସିଆ କପ୍‌ ଫାଇନାଲରେ ପ୍ରବେଶ କରିପାରି ନ ଥିଲା ଭାରତ। କ୍ୟାରିୟରରେ ୨୦୦ ଟେଷ୍ଟ ଖେଳିଥିବା ସଚିନଙ୍କ ନାମରେ ୫୧ ଶତକ ସହ ୧୫,୯୨୧ ରନ୍‌ ରହିଛି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ସଚିନ ୪୬୩ ଦିନିକିଆ ଖେଳି ୧୮,୪୨୬ ରନ୍‌ କରିଥିଲେ। ସେ ଏକ ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ମୋଟ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୪,୩୫୭ ରନ୍‌ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସଚିନ ଶୀର୍ଷରେ ଥିବାବେଳେ ୭୧ ଶତକ ସହ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନ ରହିଛନ୍ତି। ତାଙ୍କ ପଛକୁ ବିରାଟ କୋହଲି (୭୦ ଶତକ) ରହିଛନ୍ତି।

Share