Categories: ଖେଳ

ଆଜିର ଦିନରେ ଓଡିଆଇ କ୍ରିକେଟରେ ସର୍ବାଧିକ ରନ୍‌ କରିଥିଲେ ରୋହିତ

ନୂଆଦିଲ୍ଲୀ,୧୩।୧୧- ହିଟ୍‌ମ୍ୟାନ ଭାବେ ପରିଚିତ ଭାରତୀୟ ଓପନର ରୋହିତ ଶର୍ମା ଆଜକୁ ଠିକ୍‌ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ନଭେମ୍ବର ୧୩ ତାରିଖରେ ଅନ୍ତର୍ଜାତୀୟ ଦିନିକିଆ (ଓଡିଆଇ) କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। କଲିକତାସ୍ଥିତ ଐତିହାସିକ ଇଡେନ୍‌ ଗାର୍ଡେନ୍ସଠାରେ ଶ୍ରୀଲଙ୍କା ବିପକ୍ଷରେ ରୋହିତ ୨୬୪ ରନ୍‌ର ଇନିଂସ ଖେଳିଥିଲେ। ଏହି ରେକର୍ଡ ଏବେ ମଧ୍ୟ ତିଷ୍ଠି ରହିଛି। ମାତ୍ର ୪ ରନ୍‌ କରିଥିବାବେଳେ ଜୀବନଦାନ ପାଇଥିବା ୩୨ ବର୍ଷୀୟ ଓପନର ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୂମ ଛେଚିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ଥିଲା ୩୩ ଚୌକା ଓ ୯ ଛକା। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଟୁଇଟ୍‌ କରି ସୂଚନା ଦେଇଛି। ଏଥିଯୋଗୁ ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୪୦୪ ରନ୍‌ କରିଥିଲା। ରୋହିତ ଇନିଂସର ଅନ୍ତିମ ବଲରେ ନୁଆନ କୁଳସେକରାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଜବାବରେ ଶ୍ରୀଲଙ୍କା ୨୫୧ ରନ୍‌ରେ ସୀମିତ ରହିଥିଲା। ଦିନିକିଆ ଫର୍ମାଟ୍‌ରେ ମାତ୍ର ୧୦ ଥର ଦ୍ୱିଶତକ ଦେଖିବାକୁ ମିଳିଛି। ଏଥିରୁ ୩ଟି (୨୬୪, ୨୦୯ ଓ ୨୦୮) ରୋହିତଙ୍କ ନାମରେ ରହିଛି। କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି ସଫଳତା ପାଇଥିଲେ।

Share