ଆଜିର ପରିସ୍ଥିତିରେ ମଣିଷପଣିଆ ହରାନ୍ତୁ ନାହିଁ, ବିଦେଶୀଙ୍କ ପ୍ରତି ଖରାପ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ୨ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୯ ବର୍ଷୀୟ ୨ୟ କରୋନା ଆକ୍ରାନ୍ତଙ୍କ ଏବେ ଚିକିତ୍ସା ଜାରି ରହିଛି। ତେବେ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଭଲଭାବେ ହାତ ଧୁଅନ୍ତୁ। ଯଥାସମ୍ଭବ ଘରେ ରୁହନ୍ତୁ। ଅତ୍ୟନ୍ତ ଆବଶ୍ୟକ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ। ଛିଙ୍କ, କାଶ, ଜ୍ୱର, ମୁଣ୍ଡବିନ୍ଧା, ଶ୍ୱାସକଷ୍ଟ ଆଦି ହେଲେ ୧୪ ଦିନ ଘରେ ରୁହନ୍ତୁ। ଅତ୍ୟନ୍ତ ଅପରିହାର୍ଯ୍ୟ ନ ହେଲେ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଏହାଛଡ଼ା ରାଜ୍ୟରେ କରୋନା ଭୟକୁ ନେଇ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିପାରିବେନି। ଜଣେ ବ୍ୟକ୍ତି ଆଇସୋଲେଶନରେ ଅଛନ୍ତି। ତାଙ୍କୁ ଘରକୁ ନ ଆଣିବାକୁ ପରିବାରଲୋକଙ୍କ ଉପରେ ଚାପ ପକାଯାଉଛି। ସେହିଭଳି ବିଦେଶରୁ ଆସିଥିବା କେତେକ ପର୍ଯ୍ୟଟକଙ୍କ ପ୍ରତି ଖରାପ ବ୍ୟବହାର କରାଯାଉଥିବା ନଜରକୁ ଆସିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ସମସ୍ୟା ଭିତରେ ଆମକୁ ନିଜ ସ୍ବାର୍ଥ କଥା କେବଳ ଚିନ୍ତା କରିବା ଆବଶ୍ୟକ ନୁହେଁ। କାରଣ ରାଜ୍ୟ ବାହାରେ ମଧ୍ୟ ଓଡ଼ିଶାବାସୀ ରହୁଛନ୍ତି। ଆମେ ଯଦି ବାହାରୁ ଆସିଥିବା ଲୋକଙ୍କ ସହ ଏଭଳି ବ୍ୟବହାର କରିବା ତେବେ ବାହାରେ ଥିବା ଓଡ଼ିଆଙ୍କ କଥା କଣ ହେବ। ଭାରତରେ ସେମାନଙ୍କୁ ଖରାପ ବ୍ୟବହାର କରାଗଲା ବୋଲି ପ୍ରଚାରିତ ହେବ। ଦେଖିବାକୁ ଗଲେ ବିଦେଶରେ ଭାରତର ଅଧିକ ଲୋକେ ରହୁଛନ୍ତି। ଏଭଳି ପରିସ୍ଥିତିରେ କେବଳ ହୋ-ହଲ୍ଲାରେ ମାତି ଏଭଳି କରାଯାଉଛି। ହେଲେ ଏହି ସମୟରେ କେବଳ ସମସ୍ତଙ୍କୁ ଶାନ୍ତ୍ୱନା ଦିଅନ୍ତୁ। ସାହାଯ୍ୟ କରନ୍ତୁ। ନିଜର ମଣିଷପଣିଆ ହରାନ୍ତୁ ନାହିଁ। କାରଣ ଆମେ ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦ। ଏକଦା ସେ ମୃତ୍ୟୁଶର୍ଯ୍ୟାରେ ପଡ଼ିଥିବା ପୁଅକୁ ନଚାହିଁ ଦେଶର ମଙ୍ଗଳପାଇଁ କାମ କରିବାକୁ ଯାଇଥିଲେ। ସନ୍ଥକବି ଭୀମଭୋଇ ମଧ୍ୟ ଅନ୍ୟର ସେବା କରିବା ନେଇ କହିଛନ୍ତି। ମନେ ରଖିବା ଉଚିତ୍‌ ଆଗକୁ କ’ଣ ହେବ କେହି କହିପାରବେ ନାହିଁ। ଏଣୁ ଧୌର୍ଯ୍ୟ ରଖିବା। ଏହାଦ୍ୱାରା ଓଡ଼ିଆ ସଭ୍ୟତାର ନିଦର୍ଶନ ଦିଆଯାଇପାରିବ ବୋଲି ସେ ମଧ୍ୟ କହିଛନ୍ତି।

Share