Advertisement

ଆଜିର ବଜେଟ ଚାଷୀଙ୍କ ଲାଗି ଆଶାଶୂନ୍ୟ: ସୋଲାଙ୍କି

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କିଷାନ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାରର ଚାଷୀମାରଣ ନୀତି ବିରୋଧରେ ବର୍ଷିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସୋଲାଙ୍କି କହିଛନ୍ତି ଯେ, ଆଜିର କେନ୍ଦ୍ର ବଜେଟ ଚାଷୀଙ୍କ ପାଇଁ ଆଶାଶୂନ୍ୟ। ଏଭଳି ସଙ୍ଗିନ ପରିସ୍ଥିତିରେ ଚାଷୀ ବେସାହାରା। ଚାଷୀର ଆୟ ବୃଦ୍ଧି କଥାରେ ନୁହେଁ, କାମରେ ହେବା ଦରକାର। କେବଳ ପ୍ରଚାରପ୍ରସାର ଏହି ଉଭୟ ସରକାରର ସର୍ବସ୍ବ ହୋଇଛି। ଚଳିତ ଫେବୃୟାରୀ ୧୫ରୁ ପର୍ଯ୍ୟାୟ କ୍ରମେ ପ୍ରତି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବ୍ୟାପକ ଜନ ସଚେତନତା ଓ କିଷାନ କର୍ମଶାଳା ଆୟୋଜନ କରାଯିବ। ରାଜ୍ୟଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କିଷାନ କଂଗ୍ରେସ ସଙ୍ଗଠନକୁ କ୍ରିୟାଶୀଳ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ ବର୍ଷ ଶାସନକାଳରେ ଦେଶରେ ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ନ ଘଟିବା, ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କ ବିକାଶ ପରିବର୍ତ୍ତେ କମ୍ପାନୀ ପ୍ରୀତିରେ ଚାଲିଥିବାବେଳେ ଚାଷ ପାଇଁ ଜଳସେଚନ କ୍ଷେତ୍ରରେ ଏକ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀ ଅଭାବୀ ବିକ୍ରିର ଶିକାର ଓ ଋଣ ଭାରରେ ବୁଡି ରହିଥିବାବେଳେ ଶିଳ୍ପପତିମାନଙ୍କୁ ମୋଦି ସରକାର ଋଣ ଛାଡ଼ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ବୋଲି ସେ କହିଛନ୍ତି।

Share