Categories: ଫୁରସତ

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ କରାଇଛନ୍ତି। ତେବେ ନିଜ କାନ୍ଧରେ ଭାରା କରି ନୁହେଁ ବରଂ ୨୦ ବର୍ଷ ପୁରୁଣା ଚେତକ ସ୍କୁଟରରେ ବସାଇ ତୀର୍ଥ କରାଇଛନ୍ତି। ମା’ଙ୍କର ତୀର୍ଥ କରିବାର ଆଶାକୁ ପୂରଣ କରିବା ପାଇଁ ମହୀଶୂର ନିବାସୀ ଡି. କୃଷ୍ଣ କୁମାର ଶ୍ରବଣକୁମାର ସାଜିଲେ। ଆଉ ବ୍ୟାଙ୍କ ଚାକିରି ଛାଡି ୭୦ ବର୍ଷୀୟା ମା’ଙ୍କୁ ସ୍କୁଟରରେ ବସାଇ ସାରା ଭାରତରେ ଥିବା ତୀର୍ଥସ୍ଥଳ ଭ୍ରମଣ କରାଇଲେ। ମା’ପୁଅ ଦୁହେଁ ୪୮,୧୦୦ କି.ମି.ର ଯାତ୍ରା କରି ତୀର୍ଥସ୍ଥଳ ଭ୍ରମଣ କରିଛନ୍ତି। କୃଷ୍ଣ କୁମାରଙ୍କର ଏହି ମାତୃଭକ୍ତିକୁ ଦେଖି ମହିନ୍ଦ୍ରା ସମୂହର ଚେୟାରମ୍ୟାନ ଆନନ୍ଦ ଗୋପାଳ ମହିନ୍ଦ୍ରା ଟୁଇଟରରେ ପ୍ରଶଂସା କରିବା ସହ କୃଷ୍ଣ କୁମାରଙ୍କୁ ଏକ କାର୍‌ ଉପହାର ଦେବାକୁ ସ୍ଥିର କରିଛନ୍ତି। ତେବେ ଏହି ହୃଦୟସ୍ପର୍ଶୀ ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେବେ ମନୋଜ କୁମାର ନାମକ ଜଣେ ବ୍ୟକ୍ତି ମା’ ପୁଅଙ୍କ ତୀର୍ଥ ସମୟର ଫଟୋ ଓ ତଥ୍ୟକୁ ଶେୟାର କଲେ। ଆଉ ତାହା ଭାଇରାଲ ହୋଇଗଲା। ଏଭଳି ତୀର୍ଥ କରାଇବା ପଛର କାରଣ ସମ୍ପର୍କରେ କୃଷ୍ଣ କୁମାର କହନ୍ତି, ‘ଯୌଥ ପରିବାରରେ ଆମେ ବଢିଛୁ। ବାପାଙ୍କ ଦେହାନ୍ତ ପରଠାରୁ ମା’ର ଜୀବନ କେବଳ ରୋଷେଇ ଓ ଘରକାମରେ ସୀମିତ ରହିଗଲା। ତେଣୁ ନିଷ୍ପତ୍ତି ନେଲି ମା’କୁ ପୂରା ସମୟ ଦେବି ଓ ତାକୁ ଖୁସି କରାଇବି। ତା’ର ଇଚ୍ଛା ଥିଲା ତୀର୍ଥ କରିବାକୁ। ସେଥିପାଇଁ ହଜାର ହଜାର କି.ମି. ସ୍କୁଟରରେ ବସାଇ ମା’ଙ୍କୁ ତୀର୍ଥସ୍ଥଳ ଭ୍ରମଣ କରାଇଲି।’

Share