ଆଜି ଅନ୍ତର୍ଜାତୀୟ ମାତୃ ଦିବସ: ଦୁନିଆର ସବୁଠୁ ଆପଣାର ମା’

ମା’ଙ୍କ ସହ ବିତିଥିବା ପ୍ରତି ମୁହୂର୍ତ୍ତ ସ୍ମରଣୀୟ
କେବଳ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନ ମାତୃ ଦିବସ। ମା’ଙ୍କ ପାଇଁ ହିଁ ସମସ୍ତେ ଏହି ଦୁନିଆକୁ ଆସିଛନ୍ତି। ଯେତେ ରାଗ, ରୁଷା, ଅଭିମାନ ଥିଲେ ବି ମା’ ହିଁ ଜଣେ, ଯିଏ ଆମର ଯତ୍ନ ନିଏ ଓ ସବୁକଥା ବୁଝିଥାଏ। ଆଉକେହି ବି ମା’ ପରି ନୁହେଁ। ମା’ ନ ଥିଲେ ଦୁନିଆ ନାହିଁ ଓ ସବୁରି ମୂଳରେ ମା’। ଯେତେ କହିଲେ ବି ମା’ ବିଷୟରେ କହିବା ଅବର୍ଣ୍ଣନୀୟ। ମୋ ମା’ କଳ୍ପନା ଦାସଙ୍କ ସହ ବିତିଯାଇଥିବା ପ୍ରତି ମୂହୁର୍ତ୍ତ ମୋ ପାଇଁ ସ୍ମରଣୀୟ ଓ ସ୍ବତନ୍ତ୍ର।
-ସ୍ବରାଜ ବାରିକ, ଅଭିନେତା

 

ଆମେ ଦୁଇଜଣ ଭଲ ସାଙ୍ଗ
ମା’ର ସ୍ଥାନ ସବୁଠୁ ସ୍ବତନ୍ତ୍ର। ମା’ ଝିଅର ସମ୍ପର୍କଠାରୁ ଆମେ ଦୁଇଜଣ ବହୁତ ଭଲ ସାଙ୍ଗ। ମୋର ସବୁ ସମସ୍ୟାରେ ସମାଧାନର ବାଟ ଦେଖାଇଥାନ୍ତି ମୋ ମା’। ସାନ ଭଉଣୀ, ମା’ ଓ ମୁଁ ସବୁବେଳେ ମଜାମସ୍ତି, ବୁଲିବା ସହ ଅନେକ ମୂହୁର୍ତ୍ତ କାଟିଛୁ। ଆମ ପାଇଁ ସବୁଦିନ ସ୍ମରଣୀୟ। ଆମେ ଦୁଇଜଣ ଏକା ସାଙ୍ଗେ ବହୁତଥର ବିଦେଶ ଯାତ୍ରା କରିଛୁ। ଏୟାରପୋର୍ଟ ହେଉ କି ଡିଜିଟାଲ କ୍ୟାମ୍ପ, ସବୁଠି ମା’ଙ୍କ ସହ ମଜା ନେଇଛି। ମୋ ମା’ ବୈଜୟନ୍ତୀ ମିଶ୍ର ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଓ ଭଲ ଗୃହିଣୀ ମଧ୍ୟ।
-ଶିବାନୀ ସଙ୍ଗୀତା, ଅଭିନେତ୍ରୀ

 

ବୋଉ ମୋ ପାଇଁ ସବୁକିଛି
ମୋ ବୋଉ ହରପ୍ରିୟା ଆଚାର୍ଯ୍ୟ ମୋ ପାଇଁ ସବୁକିଛି। ତା’ କରଜ କେବେ ଶୁଝି ହେବ ନାହିଁ। ତା’ଠୁ ସବୁକିଛି ଆରମ୍ଭ। ସବୁ ପରିସ୍ଥିତି, ସବୁ ସମୟରେ ଜିଇଁବା ତା’ଠୁ ଶିଖୁ। ତା’ର କୌଣସି ବିକଳ୍ପ ନାହିଁ। ବୋଉଙ୍କ ସହ ମୋର ସବୁ ମୂହୁର୍ତ୍ତ ସ୍ବତନ୍ତ୍ର। ବିଶେଷକରି ବୋଉ ବାପାଙ୍କ ବିବାହ ବାର୍ଷିକୀ ମୋତେ ସବୁଠୁ ଅଧିକ ଖୁସି ଦେଇଥାଏ।
-ସମ୍ବିତ ଆଚାର୍ଯ୍ୟ, ଅଭିନେତା

 

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି ମା’
ଭଗବାନଙ୍କର ସ୍ବତନ୍ତ୍ର ଓ ଶ୍ରେଷ୍ଠ ସୃଷ୍ଟି ମା’। ଆଉ କିଛି ବୋଧେ ତା’ଠାରୁ ଭଲ ଭଗବାନ ସୃଷ୍ଟି କରିପାରି ନ ଥାନ୍ତେ। ମୋ ମାମା ସ୍ବର୍ଣ୍ଣଲତା ମିଶ୍ର ମୋ ପାଇଁ ଶ୍ରେଷ୍ଠ। ତାଙ୍କଠାରୁ ମୁଁ ସବୁକିଛି ଶିଖିଛି। ସେ ଜଣେ ବ୍ୟାଙ୍କ କର୍ମଚାରୀ। ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ କିପରି ପରିଚାଳନା କରିହୁଏ ତାହା ତାଙ୍କଠାରୁ ଶିଖିଛି। ମୋ ଜୀବନର କିଛି ବି ସମସ୍ୟା ହେଲେ ମୁଁ କହିବା ଆଗରୁ ସେ ସବୁକିଛି ଜାଣିପାରିଥାଏ। କେବଳ ମୋ ମାମା ନୁହେଁ, ସଂସାରର ସବୁ ମା’ ତାଙ୍କ ପିଲାର ଅସୁବିଧାକୁ ଆଗ ଜାଣିପାରିଥା’ନ୍ତି। ମାତୃ ଦିବସ ଉପଲକ୍ଷେ ସେହି ମାମାନଙ୍କୁ ମୋର ଶତଶତ ପ୍ରଣାମ।
-ପୁନମ ମିଶ୍ର, ଅଭିନେତ୍ରୀ

Share