Categories: ଜାତୀୟ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଇଟାଲୀ ପ୍ରଶିକ୍ଷକ, ଜାପାନ ଯୋଗ ନିକେତନ ପୁରସ୍କୃତ ହେବେ

ନୂଆଦିଲ୍ଲୀ,୨୧।୬:ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗର ପ୍ରସାର ଓ ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ଇଟାଲୀର ଯୋଗ ପ୍ରଶିକ୍ଷକ ଆଣ୍ଟୋନିଏଟା ରୋଜି, ଗୁଜରାଟ ଲାଇଫ ମିଶନ୍‌ର ସ୍ବାମୀ ରାଜର୍ଷି ମୁନି, ଜାପାନର ଯୋଗ ନିକେତନ ଏବଂ ମୁଙ୍ଗେରସ୍ଥିତ ବିହାର ସ୍କୁଲ ଅଫ୍‌ ଯୋଗ ଚଳିତ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ୭୯ ନାମାଙ୍କନ ମଧ୍ୟରୁ ଏମାନଙ୍କୁ ଚୟନ କରାଯାଇଥିବା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୬ ଦ୍ୱିତୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗର ପ୍ରଚାର ପ୍ରସାର ପାଇଁ ପୁରସ୍କାର ଘୋଷଣା କରିଥିଲେ। ପ୍ରତି ବିଜେତାମାନଙ୍କୁ ଟ୍ରଫି, ପ୍ରମାଣପତ୍ର ସହିତ ୨୫ ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ। ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଜାତିସଂଘର ସାଧାରଣ ସଭା ପକ୍ଷରୁ ଘୋଷଣା କରାଯାଇଥିଲା। ୨୦୧୫ରୁ ପ୍ରତିବର୍ଷ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି। ଏଥର ପ୍ରଧାନମନ୍ତ୍ରୀ ରାଞ୍ଚତ୍ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେବେ।

Share