ଆଜି ଆଇଏଏସ୍‌ ଅଫିସର ସମ୍ମିଳନୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସେବା ବ୍ୟବସ୍ଥାକୁ କିପରି ଅଧିକ ଉନ୍ନତ କରାଯାଇପାରିବ ସେ ନେଇ ପ୍ରଥମଥର ଲାଗି ଶୁକ୍ରବାର ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ନିକଟରେ ନୂଆକରି ଉଦ୍‌ଘାଟିତ ହୋଇଥିବା ଲୋକସେବା କନ୍‌ଭେନସନ ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଦିନତମାମ ଚାଲିବାକୁ ଥିବା ଏହି ବୈଠକରେ ଆସନ୍ତା ୫ବର୍ଷ ପାଇଁ ସରକାରୀ ସେବାକୁ ଅଧିକ କ୍ରୀୟାଶୀଳ କରିବା ନେଇ ରୋଡମ୍ୟାପ ପ୍ରସ୍ତୁତ ହେବ।
ମିଳିଥିବା ସୂଚନା ଅନୁଯାୟୀ ୬ ଜଣ ଆଇଏଏସ୍‌ ଅଫିସରଙ୍କୁ ନେଇ ଗୋଟିଏ ଲେଖାଏ ଗ୍ରୁପ ଗଠନ କରାଯାଇଛି। ପ୍ରତ୍ୟେକ ଗ୍ରୁପ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବେ। ସେହିପରି ଜିଲାପାଳମାନେ ମଧ୍ୟ ୫ଟି ଦଳରେ ବିଭକ୍ତ ହୋଇ ଜିଲାସ୍ତରୀୟ ଉନ୍ନୟନ କାର୍ଯ୍ୟର ଏକ ବ୍ଲୁ ପ୍ରିିଣ୍ଟ ପ୍ରସ୍ତୁତ କରିଛନ୍ତି। ସେମାନେ ସମ୍ମିଳନୀରେ ଏହାକୁ ଉପସ୍ଥାପନ କରିବେ। ଏହି ସମ୍ମିଳନୀକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ସମ୍ବୋଧିତ କରିବେ। ସମ୍ମିଳନୀରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଉଚ୍ଚଶିକ୍ଷା, କୃଷି, ମହିଳା ସଶକ୍ତୀକରଣ, ମିଶନ୍‌ ଶକ୍ତି, ସ୍ବାସ୍ଥ୍ୟ ଆଦି ବିଭିନ୍ନ ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସମସ୍ତ ଜିଲାପାଳ ଓ ଆଇଏଏସ୍‌ ଅଫିସର ଏହି ସମ୍ମିଳନୀରେ ଯୋଗଦେବେ।

Share