ପୁରୀ ଅଫିସ, ୩୦ା୧୦:୨୬ ଦିନ ଧରି ଲୁଣି ପାଣି ପିଇ ଜୀବନ ସହ ସଂଘର୍ଷ କରି କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ରରେ ଲାଗିଥିଲେ ଆଣ୍ଡାମାନ ନାବିକ ଅମ୍ରିତ କୁଜୁର। ବୁଧବାର ସେ ଆଣ୍ଡାମାନ ଫେରିଯିବେ। ତାଙ୍କ ଫେରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଫ୍ଲାଇଟ୍ ଟିକେଟ ସରିଥିବାବେଳେ ତାଙ୍କ ସହ ଜଣେ ଅଧିକାରୀ କଲିକତା ପର୍ଯ୍ୟନ୍ତ ଯିବେ। କଲିକତାରୁ ଆଣ୍ଡାମାନ ବିମାନରେ ସମ୍ପୃକ୍ତ ଅଧିକାରୀ ତାଙ୍କୁ ବସାଇ ଫେରିଆସିବେ ବୋଲି ଜଣପଡ଼ିଛି। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଅମ୍ରିତ କଲିକତା ଯିବେ ବୋଲି ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି।
ଅମ୍ରିତଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଏଡିଏମ୍ ପ୍ରଦୀପ କୁମାର ସାହୁ ହସ୍ପିଟାଲରେ ପହଞ୍ଚତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ସହ କଥାବର୍ତ୍ତା କରିଥିଲେ। ସନ୍ଧ୍ୟାରେ ସେ ହସ୍ପିଟାଲରୁ ଯାଇ ଜିଲାପାଳ ବଲଓ୍ବନ୍ତ ସିଂଙ୍କୁ ସାକ୍ଷାତ କରିବା ସହ ତାଙ୍କ ସଂଘର୍ଷମୟ କଥା ବଖାଣିଥିଲେ। ଜିଲାପାଳ ତାଙ୍କୁ ଏକ ପୋଷାକ ଉପହାର ଦେଇଥିଲେ। ସେଠାରେ ଏସ୍ପି ଉମାଶଙ୍କର ଦାଶ ଏବଂ ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।