ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ୍‌ ଓରାମ

ଭଦ୍ରକ ଅଫିସ, ୨୬।୪ – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ ଭଦ୍ରକ ଜିଲା ଗସ୍ତ କରିବେ। ସେମାନଙ୍କ ସହ ଭାଜପାର ବହୁ ହେଭିୱେଟ୍‌ ନେତା, ସିନେତାରକାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଭାଜପା ପକ୍ଷରୁ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି। ଏହି ଅବସରରେ ଭଦ୍ରକ ସହରରେ ପ୍ରାୟ ୨୫ ହଜାର ଭାଜପା ସମର୍ଥକଙ୍କ ଭିଡ଼ ହେବ ବୋଲି କୁହାଯାଇଛି।

ଗୁରୁବାର ଅପରାହ୍ନରେ ଭାଜପା ଜିଲା କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲା ସାଧାରଣ ସମ୍ପାଦକ ଅମ୍ବିକା ଦାସଙ୍କ ଆବାହକତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କାଳିଆ ଯୋଜନାକୁ ସରକାରଙ୍କ ଲକ୍ଷ୍ୟବିହୀନ ଯୋଜନା ବୋଲି ସେ ଆଖ୍ୟା ଦେଇଥିଲେ। ଭାଜପା ସରକାରକୁ ଡବଲ୍‌ ଇଞ୍ଜିନର ଆଖ୍ୟା ଦେଇ ଶାସନ ଗାଦିକୁ ଆସିଲେ ବିକାଶ କ’ଣ ଲୋକେ ଜାଣିବେ ବୋଲି ସେ କହିଥିଲେ। ସେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଯୋଜନାର ଟିପ୍ପଣୀ ଦେଇଥିଲେ। ଜିଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିକାଶ ଶ୍ରେଷ୍ଠା ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।