Categories: ଜାତୀୟ

ଆଜି ଆସିବ ବିନୟଙ୍କ ପିଟିଶନର ରାୟ

ନୂଆଦିଲ୍ଲୀ,୧୪।୨(ପି.ଟି.):ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଗୁରୁବାର ଉକ୍ତ ପିଟିଶନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ଅପରାହ୍ନ ୨ଟାରେ ଏହି ରାୟ ପ୍ରକାଶ ପାଇବ।
ଜଷ୍ଟିସ୍‌ ଆର୍‌. ବାନୁମତୀ, ଅଶୋକ ଭୂଷଣ ଏବଂ ଏ.ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ପ୍ରାୟ ୨ ଘଣ୍ଟା ଧରି ବିନୟଙ୍କ ପିଟିଶନର ଶୁଣାଣି କରିଥିଲେ। ମର୍ସି ପିଟିଶନ ସହ ଯେତିକି ରେକର୍ଡ ଓ ଦସ୍ତାବିଜ ଦିଆଯାଇଥିଲା, ସେଗୁଡ଼ିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଗରେ ଉପସ୍ଥାପନ କରାଯାଇ ନାହିଁ। ରାଷ୍ଟ୍ରପତି ମନ୍ଦ ଉଦ୍ଦେଶ୍ୟ ରଖି ଆବେଦନକୁ ଖାରଜ କରିଦେଇଛନ୍ତି ବୋଲି ବିନୟଙ୍କ ଓକିଲ ଏ.ପି. ସିଂ ଯୁକ୍ତି ବାଢ଼ିଥିଲେ। ସେହିପରି ବିନୟଙ୍କୁ ତିହାର ଜେଲରେ ଅତି ଖରାପ ବ୍ୟବହାର ଦେଖାଯାଉଥିବାରୁ ସେ ମାନସିକ ରୋଗର ଶିକାର ହୋଇଥିବା ଓକିଲ ଦର୍ଶାଇଥିଲେ। କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ.ପି. ସିଂଙ୍କ ଯୁକ୍ତିକୁ ବିରୋଧ କରିଥିଲେ। ରାଷ୍ଟ୍ରପତି ସମସ୍ତ ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଆଇନାନୁସାରେ ମର୍ସି ପିଟିଶନକୁ ଖାରଜ କରିଥିବା ସେ କହିଥିଲେ। ଏହାସହ ଫେବୃୟାରୀ ୧୨ର ବିନୟଙ୍କ ଏକ ମେଡିକାଲ ରିପୋର୍ଟକୁ କୋର୍ଟରେ ଦାଖଲ କରିଥିଲେ, ଯେଉଠି ସେ ମାନସିକ ଭାବେ ସୁସ୍ଥ ଥିବା ଦର୍ଶାଯାଇଛି।

Share