Categories: ଖେଳ

ଆଜି ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୨୪ା୨- ୨୦୧୦ ମସିହା ଫେବୃୟାରୀ ୨୪ ତାରିଖ ଅର୍ଥାତ ଆଜିର ଦିନରେ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗ୍ବାଲିଅରସ୍ଥିତ କ୍ୟାପଟେନ ରୁପ ସିଂ ଷ୍ଟାଡିୟମରେ ଏହି ମାଇଲଷ୍ଟୋନ ପ୍ରତିଷ୍ଠା କରିଥିଲେ। ସେହି ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇନିଂସ ଆରମ୍ଭରୁ ଭାରତ ବୀରେନ୍ଦ୍ର ସେହ୍ବାଗଙ୍କ ଉଇକେଟ ହରାଇଥିଲା। ବିସ୍ଫୋରକ ବ୍ୟାଟିଂ କରୁଥିବା ସଚିନ ୧୪୭ ବଲରେ ୨୦୦ ରନ୍‌ କରିଥିଲେ। ଇନିଂସରେ ସାମିଲ ଥିଲା ୨୫ ଚୌକା ଓ ୩ ଛକା। ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ ସଚିନ ଅନ୍ତିମ ଓଭରରେ ୨୦୦ ରନ୍‌ ପୂରଣ କରିଥିଲେ। ସେହି ସମୟରେ କମେଣ୍ଟ୍ରି କରୁଥିଲେ ରବି ଶାସ୍ତ୍ରୀ। ସେ କହିଥିଲେ, ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ବିଶ୍ୱର ପ୍ରଥମ ବ୍ୟକ୍ତି ସଚିନ। ଆଉ ସେ ହିଁ ଭାରତର ସୁପରମ୍ୟାନ। ଲିଟ୍‌ଲ ମାଷ୍ଟରଙ୍କ ଦ୍ୱିଶତକ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୪୦୧ ରନ୍‌ କରିଥିଲେ। ମ୍ୟାଚ୍‌କୁ ଭାରତ ୧୫୩ରନ୍‌ରେ ଜିତି ନେଇଥିଲା। ତେନ୍ଦୁଲକର ୧୬ ବୟସରେ ୧୯୮୯ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ସେ ସମସ୍ତ ଫର୍ମାଟରେ ୩୪,୩୫୭ ରନ୍‌ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା କୁମାର ସଙ୍ଗାକାରାଙ୍କଠାରୁ ସଚିନ ୬ ହଜାର ଅଧିକ ରନ୍‌ କରିଛନ୍ତି। ଦିନିକିଆ କ୍ରିକେଟରେ ୮ ଥର ଜଣେ ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିଛନ୍ତି। ସଚିନଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମା, ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ, ପାକିସ୍ତାନର ଫକର ଜାମନ ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି।

Share