ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ଦେଖିବେ। ଏଥିସହ ରିଲିଫ ଏବଂ ଥଇଥାନ କାର୍ଯ୍ୟ ପ୍ରସଙ୍ଗରେ ସମୀକ୍ଷା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଗୁରୁବାର ରାତିରେ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟ ନେଇ ପିଏମ୍‌ଓ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳି ନ ଥିଲେ ମଧ୍ୟ ସେ ଅପରାହ୍ନ ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ବିମାନବନ୍ଦର ଯାଇ ସେଠାକାର ସୁରକ୍ଷାର ସ୍ଥିତି ପରଖିଛନ୍ତି। ଏହାସହ ଅନ୍ୟାନ୍ୟ ସୁରକ୍ଷା ସ୍ଥିତି ସମ୍ପର୍କରେ ମଧ୍ୟ ଯାଞ୍ଚ କରିଛନ୍ତି। ବୁଧବାର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ଫନ୍‌’ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟର ବାତ୍ୟାଜନିତ କ୍ଷୟକ୍ଷତି ଦେଖି ସମୀକ୍ଷା କରି ଫେରିଯିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧାରୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାତିରେ ବିମାନବନ୍ଦର ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି। ଗୁରୁବାର ଟୁଇଟ କରି ସେ କହିଛନ୍ତି ଯେ, ବାତ୍ୟା ଅମ୍ଫନ୍‌କୁ ଓଡ଼ିଶାବାସୀ ସାହସର ସହିତ ମୁକାବିଲା କରିଛନ୍ତି। ଓଡ଼ିଶାବାସୀଙ୍କ ଭାବାବେଗକୁ ସେ ସମର୍ଥନ କରିଛନ୍ତି। ପ୍ରଭାବିତଙ୍କୁ ସହାୟତା କରିବା ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ତୃଣମୂଳସ୍ତରରେ ଯଥାସମ୍ଭବ ପ୍ରୟାସ କରିଛନ୍ତି। ପରିସ୍ଥିତି ଖୁବ୍‌ଶୀଘ୍ର ସ୍ବାଭାବିକ ହେଉ ବୋଲି ମୋଦି ଆଶା କରିଛନ୍ତି।

Share