ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ

ଭୁବନେଶ୍ୱର,୫।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଭାଜପା ପକ୍ଷରୁ ରବିବାରଠାରୁ ଜନଜାଗରଣ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଆସୁଛନ୍ତି। କୁଲସ୍ତେ ରବିବାର କେନ୍ଦ୍ରାପଡା ଜିଲା ମହାକାଳପଡାଠାରେ ସର୍ବଭାରତୀୟ ସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ। ସେଠାରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ସିଏଏ ସମ୍ପର୍କରେ ଅବଗତ କରାଇବେ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ରାଜ୍ୟରେ ସିଏଏକୁ ସମର୍ଥନ କରି ୫ ବଡଧରଣର ସଭା ଓ ଶୋଭାଯାତ୍ରା କରାଯିବ। ଚଳିତ ମାସ ୬ରେ କଟକରେ ଏକ ଶୋଭାଯାତ୍ରା କରାଯିବ। ଏଥିରେ ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସେହିଭଳି ଆଗାମୀ ଦିନରେ ରାଜଧାନୀରେ ବୃଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହେବ। ଭାଜପା କର୍ମୀମାନେ ୩୬ ସାଂଗଠନିକ ଜିଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ। ରାଜ୍ୟର ପାଖାପାଖି ଏକ କୋଟି ପରିବାରକୁ ଯାଇ ଏହି ଆଇନ ସମ୍ପର୍କରେ ବୁଝାଇବେ। ଏହି କାର୍ଯ୍ୟକ୍ରମ ଆଗାମୀ ୧୫ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଚାଲୁ ରହିବ ବୋଲି ହରିଚନ୍ଦନ କହିଛନ୍ତି।

Share