ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସା ୭ଟା ୩୦ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା ୩୦ରେ ଖୋର୍ଦ୍ଧା ଗସ୍ତ କରିବେ। ବରୁଣେଇ ପାହାଡ଼ସ୍ଥଳରେ ପୂର୍ବାହ୍ନ ୧୦ଟା ୩୦ରେ ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧୨ଟା ୪୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ସାରିବା ପରେ ରାଜଭବନକୁ ଆସି ଅପରାହ୍ନ ୫ଟାରେ ସେ ନୂଆଦିଲ୍ଲୀ ଅଭିମୁଖେ ବିମାନଯାତ୍ରା କରିବେ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଶୁକ୍ରବାର ଉଭୟ ଭୁବନେଶ୍ୱର ଓ ବରୁଣେଇରେ କାର୍‌କେଡ୍‌ ରିହର୍ସାଲ କରାଯାଇଛି। ଏୟାରପୋର୍ଟ-ରାଜଭବନ, ରାଜଭବନ-ଖୋର୍ଦ୍ଧା, ଖୋର୍ଦ୍ଧା-ବାଣୀବିହାର ପର୍ଯ୍ୟନ୍ତ ମକ୍‌-ଡ୍ରିଲ୍‌ କରାଯାଇଥିଲା।

Share