ଆଜି ଓଡ଼ିଶା ପହଞ୍ଚିବେ ଜଗା-କାଳିଆ

ଭୁବନେଶ୍ୱର/ କଟକ ଅଫିସ୍‌, ୭ା୯(ବ୍ୟୁରୋ): କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡ଼ିଶା ପହଞ୍ଚିବେ। ଶୁକ୍ରବାର ଜଗା-କାଳିଆଙ୍କୁୁ ଦିଲ୍ଲୀ ଏମ୍ସରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରେଳ ଷ୍ଟେଶନକୁ ନିଆଯାଇଥିଲା। ସେଠାରୁ ସେମାନେ ସନ୍ଧ୍ୟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଆସୁଛନ୍ତି। ଜରୁରିକାଳୀନ ସେବା ଲାଗି ଟ୍ରେନ୍‌ରେ ଅକ୍ସିଜେନ ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହିତ ଦିଲ୍ଲୀ ଏମ୍ସ ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ଡା. ଦୀପକ ଗୁପ୍ତା, ନ୍ୟୁରୋ ଆନାସ୍ଥେସିଆ ମୁଖ୍ୟ ଡା. ଗିରିଜା ରଥଙ୍କ ସମେତ ଏମ୍ସର ୪ଜଣିଆ ଟିମ୍‌ ଏବଂ ଓଡ଼ିଶାରୁ ଯାଇଥିବା ଦୁଇ ଡାକ୍ତର ମଧ୍ୟ ରହିଛନ୍ତି। ଜଗା-କାଳିଆଙ୍କ ଅସ୍ତ୍ରୋପଚାର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ବୋଲି ଶୁକ୍ରବାର ଏମ୍ସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଏହି ଅସ୍ତ୍ରୋପଚାର ‘ଦିଲ୍ଲୀ ଏମ୍ସ ଜଗା କାଳିଆ ସର୍ଜରୀ’ ଭାବେ ଜଣାଯିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସେପଟେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା ଶୁକ୍ରବାର କଟକ ଏସ୍‌ସିବିରେ ଦୁଇ ଭାଇଙ୍କ ଚିକିତ୍ସା ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜଗା-କାଳିଆଙ୍କ ଚିକିତ୍ସା ପାଇଁ କଟକ ଏସସିବିର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍‌ ନମ୍ବର ୨ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ନ୍ୟୁରୋସର୍ଜରୀ ପ୍ରଫେସର ଡା. ସଞ୍ଜୀବ ମିଶ୍ର, ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନର ପ୍ରଫେସର ଡା, ସରୋଜ କୁମାର ଶତପଥୀ, ଶିଶୁରୋଗ ସର୍ଜରୀ ବିଭାଗୀୟ ମୁଖ୍ୟ, ଏସସିବି ଶିଶୁରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଜୟନ୍ତ ବେହେରା, ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକ, ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର କୈଳାଶଚନ୍ଦ୍ର ମହାପାତ୍ର, ସର୍ଜରୀ ଜିଏଲ ବିଭାଗୀୟ ମୁଖ୍ୟ ଡା. ଶରତ ଜୟସିଂହ, ନିଶ୍ଚେତକ ବିଭାଗୀୟ ମୁଖ୍ୟ ପ୍ରଫେସର ଦୈତାରି ରାଉତରାୟ, ଏସସିବି ଷ୍ଟୋର ମେଡିକାଲ ଅଫିସର, ହସ୍ପିଟାଲ ମ୍ୟାନେଜର ବିରଞ୍ଚତ୍ ନାରାୟଣ ସାହୁ, ନ୍ୟୁରୋଲୋଜି ଫିଜିଓଥେରାପିଷ୍ଟ ଅମିତ ନନ୍ଦ, ସୂର୍ଯ୍ୟଭାନୁ ମହାରଥୀ ପ୍ରମୁଖ ରହିଛନ୍ତି। ଏହାସହ ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ଚିକିତ୍ସା କିପରି କରାଯାଇଥିଲା, ସେ ସମ୍ପର୍କରେ ବିସ୍ତୃତ ଡାକ୍ତରୀ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି। ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦିଲ୍ଲୀ ଏମ୍ସରେ ୨୦୧୭ରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳର ଏମ୍ସ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଭୟଙ୍କୁ ସଫଳତାର ସହ ପୃଥକ୍‌ କରାଯାଇଥିଲା। ତେବେ ଦିଲ୍ଲୀ ଏମ୍ସରୁ ଆସିବା ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏସସିବିରେ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା।

Share