Advertisement

ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍‌ଲାଇନ୍‌ ପରୀକ୍ଷା ହେବ। ଏଥିଲାଗି ୨୯ହଜାର ୯ଶହ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବି.ଫାର୍ମ ଏବଂ ସକାଳ ୯ଟାରୁ ପୂର୍ବାହ୍ନ ୧୦ଟା ଯାଏ ଆଇଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଫାର୍ମ ଓ ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଟେକ୍‌ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏ ଡିପ୍ଲୋମା ଛାତ୍ରୀଛାତ୍ରଙ୍କ ଲାଗି ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଟେକ୍‌ ପରୀକ୍ଷା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ମେ ୧୨ରେ ଅଫ୍‌ଲାଇନ୍‌ ଓ ୧୩ରେ ଅନ୍‌ଲାଇନ୍‌ ଓଜେଇଇ ହେବାର ଥିଲା। କିନ୍ତୁ ବାତ୍ୟା ‘ଫନୀ’ ଯୋଗୁ ପରୀକ୍ଷା ଘୁଞ୍ଚାଯାଇଥିଲା। ତେବେ ଇଣ୍ଟରନେଟ୍‌ ସଂଯୋଗ ଠିକ୍‌ ହେବା ପରେ କେବେ ଅନ୍‌ଲାଇନ୍‌ ପରୀକ୍ଷା ହେବ, ତାହା ପରେ ସୂଚନା ଦିଆଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ଶନିବାର ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ପୁରୁଣା ଆଡ୍‌ମିଟ୍‌ କାର୍ଡ ବୈଧ ରହିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel