Categories: ଖେଳ

ଆଜି ଓସିଏ ନିର୍ବାଚନ

କଟକ ଅଫିସ,୨୭ା୯- ଅନେକ ବାଦ, ବିବାଦ, ଅଭିଯୋଗର ପୂର୍ଣ୍ଣଚ୍ଛେଦ ପଡ଼ି ଶେଷରେ ଶୁକ୍ରବାର ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ବହୁ ପ୍ରତୀକ୍ଷିତ କର୍ମକର୍ତ୍ତା ନିର୍ବାଚନ। ରାଜ୍ୟ କ୍ରୀଡ଼ା ସଙ୍ଗଠନ ଜଗତରେ ଏହା ହେଉଛି ସବୁଠାରୁ ହାଇଭୋଲଟେଜ ନିର୍ବାଚନ। ମୋଟ ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ସ୍ଥିର ହୋଇଥିବା ବେଳେ ଗୋଟିଏ ପଦବୀ ନିର୍ଦ୍ୱନ୍ଦ୍ୱରେ ପୂରଣ ହୋଇଛି। ୫ ପଦବୀରେ ମୁହାଁମୁହିଁ ହେବେ ୧୦ ପ୍ରାର୍ଥୀ । ଏହା ଭିତରେ ରହିଛନ୍ତି ରାଜ୍ୟର ଅନେକ ପୁରୁଖା ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ। ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତର ନଜର ଏବେ ଏହି ନିର୍ବାଚନ ଉପରେ ।
ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି ପଦବୀରେ ଲଢ଼ିବେ ବୌଦ୍ଧ ଜିଲାର ପଙ୍କଜ ଲୋଚନ ମହାନ୍ତି ଓ ୟୁନିୟନ ସ୍ପୋର୍ଟିଂ ସମ୍ପାଦକ ପ୍ରଦୀପ ଚୌହ୍ବାନ। ସେହିପରି ସମ୍ପାଦକ ପଦବୀ ନିମନ୍ତେ କଟକ ଜିଲାର ପ୍ରତିନିଧି ସଞ୍ଜୟ ବେହେରାଙ୍କ ମୁକାବିଲା ହେବ ମଙ୍ଗଳା କ୍ଲବରୁ ପ୍ରତିନିଧି ହୋଇଥିବା ନବରଞ୍ଜନ ପଟ୍ଟନାୟକଙ୍କ ସହିତ । ଏହି ଦୁଇ ପଦବୀ ନିମନ୍ତେ ମୁକାବିଲା ସମସ୍ତଙ୍କ ନଜରର କେନ୍ଦ୍ରବିନ୍ଦୁ ସାଜିଛି । ଉପସଭାପତି ପଦବୀରେ ଅନୁଗୋଳ ଜିଲାର ପ୍ରତିନିଧି ଅକ୍ଷୟ କୁମାର ସାମନ୍ତ ଓ ସୋନପୁର ଜିଲାର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପଦବୀରେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାନ ଓ ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପଦବୀରେ ଖୋର୍ଦ୍ଧା ଜିଲାର ପ୍ରତିନିଧି ବିକାଶ ପ୍ରଧାନ ଓ ଜଗତସିଂହପୁର ଜିଲାର ପ୍ରତିନିଧି ଅନିଲ କୁମାର ବିଶ୍ୱାଳଙ୍କ ମଧ୍ୟରେ ମୁକାବିଲା ହେବ । ଆପେକ୍ସ କାଉନସିଲ ସଦସ୍ୟ ପଦବୀରେ କେନ୍ଦ୍ରାପଡ଼ା ଜିଲାର ପ୍ରତିନିଧି ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ଦୁଇଟି ଗୋଷ୍ଠୀ ନିର୍ବାଚନରେ ସାମ୍ନାକୁ ଆସିଛନ୍ତି । ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ଏବଂ କ୍ଲବମାନଙ୍କୁ ଏକାଠି କରି ଲଢ଼ିବାକୁ ଯାଉଥିବା ପ୍ରଦୀପ ଚୌହ୍ବାନଙ୍କ ଗୋଷ୍ଠୀ ମଧ୍ୟରେ ମୁକାବିଲା ହେବ।

Share