Categories: ରାଜ୍ୟ

ଆଜି କଟକରେ ହାଇଭୋଲ୍‌ଟେଜ ପ୍ରଚାର: ମୁଖ୍ୟମନ୍ତ୍ରୀ, ଅମିତ୍‌ ଶାହଙ୍କ ରୋଡ୍‌ ଶୋ’

କଟକ ଅଫିସ/ନରସିଂହପୁର(ଡି.ଏନ.ଏ.),୧୭।୪: ବୁଧବାର କଟକ ପ୍ରଚାର ମଇଦାନ କମ୍ପିବ। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାଜପା ଜାତୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅପରାହ୍ନରେ ହେଲିକପ୍ଟର ଯୋଗେ ନରାଜ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ବିଜେଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ହାଇଟେକ୍‌ ବସ୍‌ରେ ସହରର ମଣ୍ଟେଶ୍ୱରୀଗଡ଼ା ନିକଟରୁ ରୋଡ୍‌ ଶୋ’ ଆରମ୍ଭ କରିବେ। ଉକ୍ତ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀ ସିଡିଏ ଅଞ୍ଚଳ ପରିକ୍ରମା କରିବା ପରେ ସତୀଚଉରା, ଶେଲ୍‌ଟର ଛକ, କନିକା ଛକ ଦେଇ କନ୍ଦରପୁର ନିକଟରେ ପହଞ୍ଚତ୍ବେ। ସେଠାରୁ କାଇଜଙ୍ଗା, ଅଥଙ୍ଗ ଓ ୪୨ମୌଜା ଅଞ୍ଚଳ ପରିକ୍ରମା କରି ଘାଟକୂଳ ଦେଇ ପ୍ରେସ୍‌ଛକରେ ପହଞ୍ଚତ୍ବେ। ଏହା ପରେ କନିକା ଛକ ନିକଟରେ ଏକ ସଭାର ଆୟୋଜନ କରାଯାଇଛି। ସେଠାରୁ ଚଣ୍ଡିଛକ ଦେଇ ପୁନର୍ବାର କଳପଡ଼ା ବଜାର ପ୍ରଭୃତି ଅଞ୍ଚଳ ବୁଲି ପ୍ରଚାର କରିବେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍‌ ଶୋ ସହର ମଧ୍ୟରେ ଥିବା ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀକୁ ପ୍ରଭାବିତ କରିବାକୁ ବିଜେଡି ପକ୍ଷରୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଢେଙ୍କାନାଳରୁ ରୋଡ ଶୋ ସାରି ହେଲିକପ୍ଟର ଯୋଗେ ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଓହ୍ଲାଇବେ। ବଡ଼ମ୍ବାରେ ଶାହଙ୍କର ରୋଡ୍‌ ଶୋ’ ଶେଷହେବା ପରେ ସନ୍ଧ୍ୟା ସାଢେ ୬ଟାରେ କଟକରେ ଆରମ୍ଭ ହେବ। କଟକର ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘାବଜାର, ଚୌଧୁରୀବଜାର, ବାଲୁବଜାର, ନିମଚୌଡି, ଚାନ୍ଦିନିଚୌକ, ମହମ୍ମଦିଆ ବଜାର, ସେକ୍‌ବଜାର ଓ ଚଣ୍ଡିମନ୍ଦିର ଆଦି ଅଞ୍ଚଳରେ ଶାହଙ୍କର ଏହି ରୋଡ୍‌ ଶୋ କରାଯିବାକୁ ଭାଜପା ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଛି।

Share