ଆଜି କାତିଖର୍ପର ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର,୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଗୁରୁବାର ଶୁକ୍ଳ ଷଷ୍ଠୀ ତିଥି ହୋଇଥିବାରୁ ସନ୍ଧ୍ୟାରେ ମା’ଙ୍କ ଭକ୍ତମାନଙ୍କୁ କାତିଖର୍ପର ବା କାତାୟାନୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ ବୋଲି ସେବକ ତାପସ ଦୀକ୍ଷିତ କହିଛନ୍ତି।

ମନ୍ଦିରରେ ମା’ଙ୍କ ସକାଳ ଧୂପପରେ ମା’ଙ୍କ ଚଳନ୍ତି ପ୍ରତିମା ଓ କନକଦୁର୍ଗାଙ୍କୁ ଏକତ୍ର ଜଗମୋହନକୁ ଅଣାଯାଇ ଜଗତିପୂଜା ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ପରେ ମା’ଙ୍କ ମହାସ୍ନାନ କରାଯିବ। ସ୍ନାନପରେ ମା’ଙ୍କୁ ଶ୍ରୀପୟର ସହ କାଷ୍ଠ ନିର୍ମିତ ଦୁଇଟି ଶ୍ରୀଭୂଜ ଲାଗି କରାଯିବ। ଗୋଟିଏ ଭୂଜରେ ଖଡ୍ଟ ଏବଂ ଅନ୍ୟଟିରେ ଏକ ପାତ୍ର ମା’ଙ୍କୁ ଧରାଯିବ। ବୁଧବାରଠାରଠାରୁ ମା’ଙ୍କୁ ଧନୁତୀର ଲାଗି କରାଯାଇଥିଲା। ତେବେ ଆଜିର ବେଶ ଶେଷ ହେବା ପରେ ଭକ୍ତଙ୍କ ପାଇଁ ମନ୍ଦିର ପହୁଡ଼ ଫିଟାଯିବ। ଶୁକ୍ରବାର ସନ୍ଧ୍ୟାରେ ସପ୍ତମୀ ତିଥିରେ ମାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହେବ। ଷୋଡଶ ଉପଚାର ପୂଜାପଣ୍ଡା ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ମା’ଙ୍କ ସମସ୍ତ ପୂଜାନୀତି କରୁଥିବା ବେଳେ ମନ୍ଦିରରେ ସପ୍ତସତୀ ଚଣ୍ଡିପାଠ, ଭ୍ରମଣୀନିତି ପ୍ରଥାନୁସାରେ ଅନୁଷ୍ଠିତ ହେଉଛି।

Share