Categories: ଖେଳ

ଆଜି କ୍ରିକେଟକୁ ଅଲ୍‌ବିଦା କରିଥିଲେ ସଚିନ

ନୂଆଦିଲ୍ଲୀ,୧୬।୧୧- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟରର ଅନ୍ତିମ ଦିନର ବ୍ୟାଟିଂ ଦେଖିବା ପାଇଁ ୨୦୧୩, ନଭେମ୍ବର ୧୬ ତାରିଖ ତଥା ଆଜିର ଦିନରେ ଓ୍ବାଙ୍ଖଡେ ଷ୍ଟାଡିୟମ କ୍ରିକେଟ ପ୍ରଶଂସକଙ୍କ ସାଗର ପାଲଟିଥିଲା। ତେନ୍ଦୁଲକରଙ୍କ ଲମ୍ବା ଫର୍ମାଟ୍‌ରେ ଅନ୍ତିମ ମ୍ୟାଚ୍‌ ହିଁ ୨୦୦ତମ ମ୍ୟାଚ୍‌ ଥିଲା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଉକ୍ତ ସିରିଜର ଅନ୍ତିମ ଟେଷ୍ଟ ସଚିନଙ୍କ ଘରୋଇ ସହର ମୁମ୍ବାଇରେ ଖେଳାଯାଇଥିଲା। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ୧୮୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବାବେଳେ ଭାରତ ୪୯୫ ସ୍କୋର କରିଥିଲା। ଏଣୁ ଦ୍ୱିତୀୟ ଇନିଂସ ବ୍ୟାଟିଂର କୌଣସି ସମ୍ଭାବନା ନ ଥିଲା। ପ୍ରଥମ ଇନିଂସରେ ତେନ୍ଦୁଲକର ଆଉଟ ହେବା ପରେ ପୂରା ଷ୍ଟାଡିୟମ୍‌ ଚୁପ ହୋଇଯାଇଥିଲା। ବ୍ୟାଟିଂ ଆଇକନ ଅନ୍ତିମ ଇନିଂସରେ ୭୪ ରନ୍‌ କରିଥିଲେ। ସେହି ଦିନ ଅନ୍ତିମ ଥର ଷ୍ଟାଡିୟମ ସଚିନ…ସଚିନ ଡାକରେ ଗୁଞ୍ଜରି ଉଠିଥିଲା। ଆଜିର ଦିନରେ ମହମ୍ମଦ ଶାମି ଓ୍ବେଷ୍ଟଇଣ୍ଡିଜର ଅନ୍ତିମ ବ୍ୟାଟ୍ସମ୍ୟାନ ଶାନନ ଗାବ୍ରିଏଲଙ୍କୁ ଆଉଟ୍‌ କରି ମ୍ୟାଚ୍‌ ଶେଷ କରିଥିଲେ। ତେନ୍ଦୁଲକରଙ୍କ ଟେଷ୍ଟ କ୍ୟାରିୟରରେ ୫୧ ଶତକ ସହ ୫୩.୭୮ ହାରରେ ୧୫,୯୨୧ ରନ୍‌ କରିଛନ୍ତି। ତାଙ୍କ ନାମରେ ୪୬୩ ଦିନିକିଆ ୪୪.୮୩ ଆଭରେଜରେ ୪୯ ଶତକ ଓ ୯୬ ଅର୍ଦ୍ଧଶତକ ସହ ୧୮,୪୨୬ ରନ୍‌ ରହିଛି। ସେ ପୂର୍ବରୁ ଦିନିକିଆ ଓ ଆଇପିଏଲରୁ ସନ୍ନ୍ୟାସ ନେଇ ସାରିଥିଲେ। ଏହି ଦିନ ତେନ୍ଦୁଲକର ୨୪ ବର୍ଷର ଲମ୍ବା କ୍ୟାରିୟରର ଅନ୍ତ କରିଥିଲେ।

Share