ବାରିପଦା ଅଫିସ,୧।୧୧: ପର୍ଯ୍ୟଟକମାନଙ୍କ ପାଇଁ ଶୁକ୍ରବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକମାନେ ପିଠାବଟା(ଲୁଲୁଙ୍ଗ) ଓ କାଳିଆଣି(ଯଶିପୁର) ଗେଟ୍ ଦେଇ ଯାଇଛନ୍ତି। ପିଠାବଟା ଗେଟ୍ ଦେଇ ୧୬ଟି ଚାରିଚକିଆ ଯାନରେ ମୋଟ ୧୦୬ ଜଣ ପର୍ଯ୍ୟଟକ ଶିମିଳିପାଳ ଭତରକୁ ଯାଇଥିବାବେଳେ କାଳିଆଣି ଗେଟ୍ ଦେଇ ମୋଟ ୫ଟି ଗାଡ଼ିରେ ୩୦ଜଣ ପର୍ଯ୍ୟଟକ ଯାଇଛନ୍ତି। ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିବା ଲାଗି କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଗୋଲପ ଫୁଲ ଦେଇ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରାଯାଇଛି। ଶିମିଳିପାଳ ଭିତରକୁ ପ୍ଲାଷ୍ଟିକ ନିଷେଧ କରାଯାଇଥିବା ବେଳେ ପର୍ଯ୍ୟଟକମାନେ କିପରି ସୁରକ୍ଷିତ ଭାବେ ଭିତରେ ବୁଲାବୁଲି କରି ଫେରିବେ ସେ ନେଇ ଗୁରୁତ୍ୱ ଦିଆଯାଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି।