ଆଜି ଗଣଶିକ୍ଷା ବିଭାଗ ଆଣିବ ମଧୁ ଆପ୍‌

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍‌କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ। ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍‌ଟିକୁ ନାମିତ କରାଯାଇଛି। ଏହି ଆପ୍‌ ପ୍ରଥମେ ଗଞ୍ଜାମ ଜିଲା ଲାଗି କାର୍ଯ୍ୟକାରୀ କରାଯାଉଛି। ଗଞ୍ଜାମ ଜିଲାପାଳ ଏହି ଆପ୍‌ ଗଠନ କରିଛନ୍ତି। ଏହି ଆପ୍‌ ଜରିଆରେ ସ୍କୁଲ ପିଲାମାନେ ସିଧାସଳଖ ନିଜ ବହିର ଯେକୌଣସି ବିଷୟ ସମ୍ପର୍କରେ ବୁଝି ନ ପାରିବେ ତା’ର ସମାଧାନ ପାଇଯିବେ। ଏହି ଆପ୍‌ରେ ପିଲାମାନେ ସିଲାବସ୍‌ ସମ୍ପର୍କିତ ସମସ୍ତ ପାଠ୍ୟପୁସ୍ତକରେ ଉପଲବ୍ଧ ପାଠକୁ ଭିଡିଓ ମାଧ୍ୟମରେ ଦେଖି ବୁଝିପାରିବେ। ସବୁ ବିଷୟର ପ୍ରଶ୍ନ ଉତ୍ତରକୁ ଜଣେ ଲେଖା ଶିକ୍ଷକ ବୁଝାଉଥିବାର ଭିଡିଓ ଏହି ଆପ୍‌ରେ ମାରିଲେ ତାହା ଚାଲିଆସିବ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ପଢିବା ସହିତ ଇଲର୍ନିଂ କରିପାରିବେ ଏବଂ ଉକ୍ତ ଆପ୍‌ ମାଧ୍ୟମରେ ଦୁଇଟି ପ୍ରଶ୍ନୋତ୍ତର ସେଟ୍‌ ପାଇବେ। ତାକୁ କରିବାପରେ ନିଜ ମାର୍କିଂ ସମ୍ପର୍କରେ ମଧ୍ୟ ଜାଣିପାରିବେ। ଏହାଦ୍ୱାରା ପିଲାଙ୍କ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇପାରିବ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଏହି ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ଯଦି ଏହି ଆପ୍‌ ସଫଳ ହୁଏ ତେବେ ପର୍ଯ୍ୟାୟକ୍ରମେ ସମସ୍ତ ଜିଲାରେ ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।

Share