ଆଜି ଗର୍ଭଗୃହ ଯାଞ୍ଚ କରିବେ ବିଶେଷଜ୍ଞ

ପୁରୀ ଅଫିସ,୬ା୭: ଘୋଷଯାତ୍ରାରେ ଯାଇ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା ଯାଞ୍ଚ ଲାଗି ଶୁକ୍ରବାର ଭାରା ବନ୍ଧା କାମ ସରିଛି। ଯାଞ୍ଚ କରିବାକୁ ଥିବା କମିଟି ମଧ୍ୟରେ ରୁର୍‌କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ସିବିଆର୍‌ଆଇ)ର ବିଶେଷଜ୍ଞମାନେ ସାମିଲ ଅଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରେ ଏହି ଯାଞ୍ଚ ହେବ। ସିବିଆର୍‌ଆଇର ବିଶେଷଜ୍ଞ ଅଞ୍ଚଲ ମିତ୍ତଲ, ଏଏସ୍‌ଆଇର ଅଧୀକ୍ଷଣ ଯନ୍ତ୍ରୀ (ଦିଲ୍ଲୀ) ଅତୁଲ କୁଲକର୍ଣ୍ଣିଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର୍‌ କମିଟି, ଶ୍ରୀମନ୍ଦିର ଅଧିକାରୀ ଓ ଇଞ୍ଜିନିୟର, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବେ। ଜଗମୋହନ ପୋର୍ଟାଲ ଫ୍ରେମ୍‌ରେ ଲାଗିଥିବା ଲୋଡ୍‌ସେଲ, ନାଟମଣ୍ଡପ ବିମ୍‌ରେ ଲାଗିଥିବା ସେନ୍‌ସର ସ୍ଥିତି ପରଖିବେ। ଏତଦ୍‌ବ୍ୟତୀତ ଗର୍ଭଗୃହ ବାୟୁ ସଞ୍ଚାଳନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବ। ଭୋଗ ମଣ୍ଡପ ଚଟାଣ ଓ ରୋଷଘର କାମ ମଧ୍ୟ ହେବ ବୋଲି ଜଣାପଡ଼ିଛି।

Share