ଭୁବନେଶ୍ୱର, ୯।୫(ବ୍ୟୁରୋ): ଶିକ୍ଷା କ୍ଷେତ୍ରକୁ କରୋନା ବ୍ୟାପକ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ମଧ୍ୟ ହୋଇନାହିଁ। ତେବେ ମାଟ୍ରିକ ଖାତା ଦେଖା ନେଇ ଶନିବାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି ଯେ, ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ମାଟ୍ରିକ ଖାତା ମୂଲ୍ୟାୟନ ନେଇ ଚୂଡ଼ାନ୍ତ ତାରିଖ ସମ୍ପର୍କରେ ନିଷ୍ପତ୍ତି ହେବ। ଖାତା ଦେଖିବା ପାଇଁ କ’ଣ ସବୁ ନିୟମ ରହିବ, କେତେ ଶିକ୍ଷୟିତ୍ରୀ,ଶିକ୍ଷକ ଏଥିରେ ନିୟୋଜିତ ହେବେ ଏସବୁ ନେଇ ଆଲୋଚନା ହେବ ବୋଲି ସମୀର କହିଛନ୍ତି। ଏହାସହ ବାକି ରହିଥିବା ଯୁକ୍ତ୨ ପରୀକ୍ଷା ତାରିଖ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡ଼ିଛି।