ଆଜି ଜାଗର: ଚଳଚଞ୍ଚଳ କପିଳାସ

ଢେଙ୍କାନାଳ ଅଫିସ, ୨୧।୨ – ପ୍ରସିଦ୍ଧ ମହାଶିବରାତ୍ରି ଏବଂ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଜାଗରଯାତ୍ରା ଅବ୍ୟବହିତ ପୂର୍ବରୁ ଗୁରୁବାରଠାରୁ କପିଳାସକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଠାକୁରଙ୍କ ନୀତି ନିର୍ଦ୍ଧାରିତ ସମୟରେ ସାରିବାକୁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଶୁକ୍ରବାର ରାତ୍ରକାଳୀନ ଷୋଡ଼ଶ ଉପଚାର ଜାଗର ପୂଜା ପାଇଁ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ଭୋର୍‌
୩ଟାରୁ ୩ଟା ୫୦ ମଧ୍ୟରେ ଠାକୁରଙ୍କ ମହାସ୍ନାନ ସହିତ ନାଗାଭରଣ ବେଶ ଅନୁଷ୍ଠିତ ହେବ। ୪ଟା ୨୦ରେ ବେଢ଼ା ପରିକ୍ରମା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ।

Share