Categories: ବାଣିଜ୍ୟ

ଆଜି ଜିଏସ୍‌ଟି କାଉନସିଲ୍‌ ବୈଠକ;ଟିକସ ହ୍ରାସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦-୯:ଜିଏସ୍‌ଟି କାଉନସିଲ୍‌ର ୩୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଗୋଆରେ ବସିବାକୁ ଯାଉଛି। ଟିକସ ଆୟ ହ୍ରାସ ପାଉଥିବାବେଳେ ଅର୍ଥନୀତିକୁ ଗତିଶୀଳ କରିବା ନେଇ ଟିକସ ବୋଝ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଜିଏସ୍‌ଟି ରିଟର୍ନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ। ଦେଶର ଆର୍ଥତ୍କ ବିକାଶ ହାର ପ୍ରଥମ ତ୍ରୈମାସରେ ୫%ରେ ପହଞ୍ଚତ୍ଥିବା ବେଳେ କାଉନସିଲ୍‌ ବୈଠକର ନିଷ୍ପତ୍ତି ବିଶେଷ ଗୁରୁତ୍ୱବହନ କରୁଛି। ତେବେ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ବିସ୍କୁଟ, ହୋଟେଲ, ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ନିର୍ମାତା ସମେତ ବହୁ ଉଦ୍ୟୋଗ ଜିଏସ୍‌ଟି ହ୍ରାସ ପାଇଁ ଦାବି ଜଣାଇଛନ୍ତି। ଜିଏସ୍‌ଟି ହ୍ରାସ ହେଲେ ଚାହିଦା, ବ୍ୟବହାର ବଢ଼ିବ ଏବଂ ଅର୍ଥନୀତି ଗତିଶୀଳ ହେବ ବୋଲି ଯୁକ୍ତି ଦର୍ଶାଯାଉଛି। ତେବେ ଜିଏସ୍‌ଟି ହ୍ରାସକୁ ବହୁ ରାଜ୍ୟ ବିରୋଧ କରୁଛନ୍ତି। ସେମାନଙ୍କ ମତରେ କେନ୍ଦ୍ରର କ୍ଷତିପୂରଣ ପ୍ରଦାନ ପରିମାଣ ଦିନକୁ ଦିନ ହ୍ରାସ ପାଉଛି। ଏଭଳି କ୍ଷେତ୍ରରେ ଜିଏସ୍‌ଟି ହ୍ରାସ କରାଗଲେ ରାଜ୍ୟମାନଙ୍କର ଆୟ ବହୁ ପରିମାଣରେ କମିଯିବ। ଇତିମଧ୍ୟରେ ଫିଟ୍‌ମେଣ୍ଟ କମିଟି ବିସ୍କୁଟ ଠାରୁ ଆରମ୍ଭ କରି ଅଟୋ,ହୋଟେଲ ସେକ୍ଟର ଆଦିରେ ଜିଏସ୍‌ଟି ହ୍ରାସ ନ କରିବାକୁ ସୁପାରିସ୍‌ କରିଛନ୍ତି। ଉକ୍ତ ବୈଠକରେ ଜିଏସ୍‌ଟି ଆଇନରେ ସଂଶୋଧନ ନେଇ ଆଲୋଚନା ହୋଇପାରେ। କାରଣ ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ହେବ।

Share