ଆଜି ଡଲ୍‌ଫିନ ଗଣନା

ପୁରୀ ଅଫିସ, ୧୯ା୧:  ପୁରୀ ବିନ୍ୟପ୍ରାଣୀ ଡିଭିଜନରେ ରବିବାର ଡଲ୍‌ଫିନ ଗଣନା ହେବ। ସକାଳେ ଏହି ଗଣନା କରାଯିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। କିନ୍ତୁ ଗତ କିଛିଦିନ ହେବ ଘନ କୁହୁଡ଼ି ରହୁଛି। ତେଣୁ କୁହୁଡ଼ି ଛାଡ଼ିିବା ପରେ ଗଣନା ହେବ ବୋଲି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ପ୍ରଶାନ୍ତ କୁମାର ସ୍ବାଇଁ କହିଛନ୍ତି। ଏହି ଗଣତିରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ବାଲୁଖଣ୍ଡ ରେଞ୍ଜ ଅଫିସରେ ପ୍ରଶିକ୍ଷଣ ଦିଆସରିଛି। ଦେବୀ ମୁହାଣରୁ ଚିଲିକା ମୁହାଣ (ଅରଖକୁଦା) ପର୍ଯ୍ୟନ୍ତ ପ୍ରାୟ ୧୦୦ କିମିରୁ ଊର୍ଦ୍ଧ୍ୱ ତଟବର୍ତ୍ତୀ ଅଞ୍ଚଳରେ ଡଲ୍‌ଫିନ ଗଣନା ହେବ। ଏଥିପାଇଁ ମୋଟ ୧୦ଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ରେ ୫ ଜଣ ଲେଖାଏ ରହିବେ। ନଦୀରେ ଗୋଟିଏ, ସମୁଦ୍ରରେ ୨ଟି ଏବଂ ସମୁଦ୍ର କୂଳରେ ୭ଟି ଟିମ୍‌ ନିୟୋଜିତ ହେବେ। ନଦୀରେ ଗୋଟିଏ ବୋଟ୍‌ ଏବଂ ସମୁଦ୍ରରେ ଦୁଇଟି (ଦେବୀ ମୁହାଣ-ଚନ୍ଦ୍ରଭାଗା ଏବଂ ଅରଖକୁଦା-ଚନ୍ଦ୍ରଭାଗା) ଟ୍ରଲରରେ ଗଣତି କରାଯିବ। ସମୁଦ୍ର କୂଳରେ ନିୟୋଜିତ ୭ଟି ଟିମ୍‌ ବାଇନାକୁଲାର ସାହାଯ୍ୟରେ ଗଣତି କରିବେ। ତେବେ ଯେଉଁ ନଦୀ, ସମୁଦ୍ରରେ ଗଣନା କରୁଥିବା ଟିମ୍‌ରେ ଅଧିକ ସଂଖ୍ୟକ କର୍ମଚାରୀ ରହିବେ ବୋଲି ଜଣାପଡ଼ିିଛି। ସୂଚନାଥାଉ କି, ଗତବର୍ଷ କୁହୁଡ଼ି ଯୋଗୁ ଗଣତି ଠିକ୍‌ ଭାବେ ହୋଇପାରି ନ ଥିବାରୁ ପୁରୀ ଡିଭିଜନରେ ଡଲ୍‌ଫିନ ଦେଖିବାକୁ ମିଳି ନ ଥିଲେ।