ଆଜି ତୀରକମାଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର, ୨।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥତ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ ଦୁର୍ଗା ଏକ ଓ ଅଭିନ୍ନ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ କରାଯାଇଥିବାରୁ ମା’ମଙ୍ଗଳାଙ୍କ ମନ୍ଦିରରେ ଷୋଳ ପୂଜା ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଏ। ଷୋଳପୂଜା ଅବସରରେ ବୁଧବାର ପଞ୍ଚମି ତିଥି। ଏଥିପାଇଁ ସନ୍ଧ୍ୟାରେ ମା’ମଙ୍ଗଳା ତୀର କମାଣ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପୂର୍ବରୁ ମା’ଙ୍କୁ ପାଦପଦ୍ମ ଲାଗି କରାଯାଇଥିବା ବେଳେ ବୁଧବାର ସନ୍ଧ୍ୟାରେ ମା’ଙ୍କ ହାତରେ ତୀର କମାଣ ଅଥର୍ର୍ାତ୍‌ ଧନୁ ତୀର ଲାଗି କରାଯିବ। ତୀର କମାଣ ବେଶରେ ମା’ଙ୍କୁ ବେଶ କରାଯିବା ପରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ପହୁଡ଼ ଫିଟାଯିବ। ଏହି ବେଶରେ ଗୁରୁବାର ଦିନତମାମ ମା’ ଭକ୍ତଙ୍କୁ ଦର୍ଶନ ଦେବେ। ମନ୍ଦିରରେ ଯଥାବିଧି ସପ୍ତସତୀ ଚଣ୍ଡିପାଠ, ଭ୍ରମଣୀ ନୀତି ପାଳିତ ହେଉଛି। ଶାରଦୀୟ ପାର୍ବଣ ପୂଜା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହିଛି। ପୂଜାପଣ୍ଡା ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ମା’ଙ୍କୁ ଷୋଡ଼ଶ ଉପଚାର ବିଧିରେ ପୂଜା କରୁଛନ୍ତି। ଗୁରୁବାର ସନ୍ଧ୍ୟାରେ ମା’ଙ୍କର କାତିଖପରି ବେଶ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Share